ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିମାପଡ଼ା ବ୍ଲକର ଅଣ୍ଡିଆ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶେଷ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ରାଜ୍ୟପାଳ ଭବାନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ଭବାନୀ ଚରଣ ପଟ୍ଟନାୟକଙ୍କ ମରଶରୀରକୁ ପରେ ସ୍ୱାଧୀନତା ସଂଗ୍ରାମୀ ଭବନକୁ ଅଣାଯାଇଥିଲା। ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିମାପଡ଼ା ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅନନ୍ତ ନାରାୟଣ ଜେନା ଏବଂ ପୂର୍ବତନ ବିଧାୟକ ପ୍ରଭାବ ତ୍ରିପାଠୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହାପରେ ଭବାନୀ ଚରଣ ପଟ୍ଟନାୟକଙ୍କ ମରଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ଭବାନୀ ପଟ୍ଟନାୟକଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ଜନ୍ମସ୍ଥାନ ନିମାପଡ଼ା ଅଭିମୁଖେ ନିଆଯାଇଛି। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

‘‘ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧୀବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି’’, ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ସେ ସବୁବେଳେ ସ୍ମରଣୀୟୀ ହୋଇ ରହିବେ। ସେ ଯାହା କରିଛନ୍ତି ଓଡ଼ିଶାବାସୀଙ୍କ ହୃଦୟରେ ସେ ସବୁବେଳେ ବନ୍ଦନୀୟ ହୋଇ ରହିବେ‘‘, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

‘‘ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର ତଥା ଜଣେ ଗାନ୍ଧୀବାଦୀ ନେତା ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମୁଁ ଭାଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ଓଡ଼ିଶା ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା।ସେ ରାଜ୍ୟସଭାର ସାଂସଦ ଥିଲେ। ତାଙ୍କ ସହ ମିଶିବାର ସୌଭାଗ୍ୟ ମତେ ମିଳିଥିଲା। ବିଭିନ୍ନ ସମୟରେ ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳୁଥିଲା। ସମାଜ ପାଇଁ ସବୁବେଳେ କିଛି କରିବାର ଉତ୍ସାହ ଏବଂ ଆଗ୍ରହ ତାଙ୍କ ପାଖରେ ଦେଖିବାକୁ ମିଳୁଥିଲା। ବର୍ତ୍ତମାନର ପିଢ଼ିଙ୍କ ପାଇଁ ଭବାନୀ ଚରଣ ପଟ୍ଟନାୟକ ସବୁବେଳେ ପ୍ରେରଣା ହୋଇ ରହିବେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

‘‘ଭବାନୀ ଚରଣ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ଭାବେ ଜଣାଶୁଣା ଥିଲେ। ଦେଶ ସ୍ୱାଧୀନତା ପାଇବା ପରେ ସେ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିଥିଲେ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ସେବା ମନୋବୃତ୍ତି ନେଇ କାମ କରୁଥିଲେ। ତାଙ୍କ ଭଳି ଗାନ୍ଧୀବାଦୀ ନେତା ଓଡ଼ିଶାରେ ନାହାନ୍ତି। ସେ ସ୍ନେହଁ, ଶ୍ରଦ୍ଧା ଓ ଭଲପାଇବାର ପ୍ରତୀକ ଥିଲେ’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କର ଦେହାନ୍ତ ଗତକାଲି ରାତିରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଜଣେ ଗାନ୍ଧୀବାଦୀ ଭାବେ ସେ ବେଶ୍‌ ଜଣାଶୁଣା ଥିଲେ।

ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଅଣ୍ଡିଆ ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ବିଚାର ଧାରାରେ ବଢ଼ିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ବେଶ୍‌ ଜଣାଶୁଣା ଥିଲେ।

୧୯୬୧, ୧୯୬୬ ଏବଂ ୧୯୭୮ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

Comment