ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ
  • ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହେବ
  • କେଉଁଠି ଲ୍ୟାଣ୍ଡଫଲ୍‌ କରିବ ସ୍ପଷ୍ଟ ହୋଇନାହିଁ
  • ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିପାରେ
  • ୧୭ ତାରିଖ ସନ୍ଧ୍ୟାରୁ ଉତ୍ତର ପୂର୍ବ ଦିଗରେ ଗତି କରିବ ବାତ୍ୟା
  • ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି
  • ସମ୍ଭାବ୍ୟ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମ୍ଭାବ୍ୟ ବାତ୍ୟ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଆଜି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ। ଏହା ଘନୀଭୂତ ହୋଇ ଆସନ୍ତାକାଲି ସନ୍ଧ୍ୟା ବେଳକୁ ବାତ୍ୟାର ରୂପ ନେବ। ବାତ୍ୟାର ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ ବାତ୍ୟା। କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ପଶ୍ଚିମବଙ୍ଗ, ବାଂଲାଦେଶ କିମ୍ବା ଅନ୍ୟ କେଉଁଠି ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

‘‘ବାତ୍ୟା ଉତ୍ତର ପୂର୍ବ ଦେଇ ଗତି କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଆମେ ନିୟମିତ ଭାବେ ମନିଟରିଂ କରୁଛୁ। ଆଶ୍ରୟ ସ୍ଥଳ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କହିଛୁ। ଅଧିକ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବାକୁ କହିଛୁ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସରପଞ୍ଚ ଓ ସ୍କୁଲ ଶିକ୍ଷକ ଆଶ୍ରୟସ୍ଥଳ ଦାୟିତ୍ୱରେ ରହିବେ।ପୋଲିସ, ଅଗ୍ନିଶମ ଓ ଏନଡିଆର୍‌ଏଫ୍‌ ସହ ପ୍ରାଥମିକ ଆଲୋଚନା ହୋଇଛି’’, କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ରାସ୍ତାଘାଟ ସଫା ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଛି। ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜି ସନ୍ଧ୍ୟାରୁ ମତ୍ସ୍ୟଜୀବୀକୁ ସମୁଦ୍ର ଯିବାକୁ ମନା କରାଯାଇଛି।

ଏହାସହ ସମବାୟ, ଶକ୍ତି, ଜଳ ସମ୍ପଦ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନପାରେ ବୋଲି କହିଛନ୍ତି ଏସ୍‌ଆର୍‌ସି।

Comment