ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଉଁରୀ ତିଥିରେ ତିନି ରଥ ଅଖରେ ଲାଗିଲା ଅନୁକୂଳ ଚକ।

ଆଜି ପୁରୀ ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି। ପରମ୍ପରା ଅନୁସାରେ ଆଜି ତିନି ରଥ ଅଖରେ ୬ଟି ଅନୁକୂଳ ଚକ ଲାଗି ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଅଖରେ ଚକ ଯୋଖା ଯାଇଥିଲା।

ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବା ପରେ ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରୁ ତିନୋଟି ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ। ଏହି ଆଜ୍ଞାମାଳ ତିନି ରଥରେ ଚକ ଅଖ ନିକଟରେ ଲାଗି କରାଯିବା ସହ ମୁଖ୍ୟ ବିଶ୍ୱକର୍ମାମାନଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଯାଇଥିଲା। ଭଉଁରୀ ତିଥିରେ ରଥ ଅଖରେ ଚକ ଲାଗି ହେବା ଏକ ପ୍ରମୁଖ ପରମ୍ପରା।

ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୬ଟି ଚକ, ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୪ଟି ଚକ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ଟି ଚକ ରହିଥାଏ। ସେଥିମଧ୍ୟରୁ ଆଜି ଭଉଁରୀ ତିଥିରେ ତିନି ରଥରେ ଦୁଇଟି ଲେଖାଏଁ ୬ଟି ଚକ ଅନୁକୂଳ ହୋଇଛି। ଆହୁରି ୩୬ଟି ଚକ ତିନି ରଥରେ ଲାଗିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି।

ରଥରେ ଚକ ଅଖ ଯୋଡ଼ା ହେବା ପରେ ୪୨ଟି ତୁମ୍ବରେ ଅର ଯୋଡ଼ା ହେବ। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି।

ଚଳିତ ବର୍ଷ କରୋନା ସଙ୍କଟ ଏବଂ ଲକ୍‌ଡାଉନ୍‌ ପାଇଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ହୋଇଥିଲା। ଭଉଁରୀ ତିଥିରେ ଅନୁକୂଳ ଚକ ଅଖରେ ଲାଗି ପାରିବ କି ନାହିଁ ତାକୁନେଇ ଅନିଶ୍ଚିତତା ଲାଗି ରହିଥିଲା। ହେଲେ ମହାରଣା ସେବାୟତଙ୍କ ଉଦ୍ୟମ ଯୋଗୁଁ ଆଜି ନୀତି ସୂଚାରୁରୂପେ ସମ୍ପନ୍ନ ହୋଇଛି। ତିନି ରଥ ଅଖରେ ଚକ ଯୋଡ଼ା ଯାଇଛି।

ଜୁନ୍‌ ୨୩ ତାରିଖରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିପାର୍ଇ ପୁରୀ ରଥଖଳାରେ ଜୋରସୋର୍‌ରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। କରୋନା ପାଇଁ ରଥଖଳାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହାରଣା, ଭୋଇ ଏବଂ କମାର ସେବାୟତମାନଙ୍କୁ ପୁରୀର ଦୁଇଟି ଭକ୍ତ ନିବାସରେ ରଖାଯାଇଛି।

ପ୍ରତିଦିନ ସେବାୟତମାନେ ଭକ୍ତ ନିବାସରୁ ରଥଖଳାକୁ ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରୁଛନ୍ତି। ସେବାୟତମାନଙ୍କର ପ୍ରତିଦିନ ରଥଖଳାରେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ୧ ମିଟର ବ୍ୟବଧାନରେ ବସି ସେବାୟତମାନେ ରଥ ନିର୍ମାଣ କାମ କରୁଛନ୍ତି।

Comment