ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଔଷଧୀୟ ଗଛ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୪ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

‘’୧୦ ଲକ୍ଷ ହେକ୍‌ଯରରେ ମେଡିସିନ ଓ ହର୍ବାଲ ଚାଷ କରିବାକୁ ଯୋଜନା ରହିଛି। ଏହି ଚାଷରେ ଚାଷୀମାନଙ୍କର ୫ ହଜାର କୋଟି ଟଙ୍କା ଆୟ ହୋଇପାରିବ। ଔଷଧୀୟ ଗଛର ବିକ୍ରିବଟା ପାଇଁ ସ୍ୱତନ୍ତ୍ର ମଣ୍ଡି କରାଯିବ।

ସେହିପରି ମହୁ ଚାଷକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି କେନ୍ଦ୍ର ସରକାର। ମହୁମାଛି ଚାଷର ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ୫୦୦ କୋଟି ଟଙ୍କାର ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ୨ ଲକ୍ଷ ମହୁମାଛି ଚାଷୀ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏଥିପାର୍ଇ ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି କେଉଁ ସେକ୍ଟର ପାଇଁ କେତେ ଅର୍ଥ ବ୍ୟୟବରାଦ କରାଯିବ ସେନେଇ ସୂଚନା ଦେଉଛନ୍ତି।

ଗତ ତିନି ଦିନ ହେଲା ଲଗାତର ସୂଚନା ଦିଆଯାଉଛି। ପ୍ରଥମ ଦିନ ଏମ୍‌ଏସ୍‌ଏମଇ ସେକ୍ଟରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଗତକାଲି ପ୍ରବାସୀ ଶ୍ରମିକ, ଗରିବ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଥିଲା। ଆଜି କୃଷି, ମତ୍ସ୍ୟ ଓ ପଶୁସମ୍ପଦ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା ହୋଇଛି।

Comment