ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ମଧ୍ୟରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ଏକ ନୂଆ ଇତିହାସ ରଚିଛି। ସଫଳତାର ସହ ଗର୍ଭାଶୟର ଏକ ବିରଳ ଅସ୍ତ୍ରୋପଚାର କରି ଜଣେ ୧୯ ବର୍ଷୀୟା ଝିଅକୁ ଜୀବନ ଦେଇଛି ଆପୋଲୋ ହସ୍ପିଟାଲ୍।

ଝିଅଟିର ଶରୀରରେ ଦୁଇଟି ଲେଖାଏ ଗର୍ଭାଶୟ, ଯୋନି ଥିବାର ଜଣାପଡ଼ିଥିଲା। ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଜିଏସ୍ଏସ୍ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ପେଶିଆଲିଷ୍ଟ ଟିମ୍ ସଫଳତାର ସହ ଏହି ବିରଳ ଅସ୍ତ୍ରୋପଚର କରିଛନ୍ତି। ଏଭଳି ଘଟଣା ଓଡ଼ିଶା ଚିକିତ୍ସା ଇତିହାସର ପ୍ରଥମ ଅସ୍ତ୍ରୋପଚାର ବୋଲି ହସ୍ପିଟାଲ୍ ପକ୍ଷରୁ ଦାବି କରାଯାଇଛି।

ତଳି ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ କିଛି ଦିନ ତଳେ ୧୯ ବର୍ଷୀୟା ଜଣେ ଝିଅ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ଅଲଟ୍ରାସାଉଣ୍ଡ୍ ରିପୋର୍ଟ ଆସିବା ପରେ ଯୁବତୀଙ୍କଠାରେ ଦୁଇଟି ଗର୍ଭାଶୟ ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଏମ୍ଆର୍‌ଆଇ ସ୍କାନ୍ ପରେ ଏକ ଭୟଙ୍କର ସତ୍ୟ ସାମ୍ନାକୁ ଆସିଥିଲା। ଯୁବତୀଙ୍କଠାରେ ଦୁଇଟି ଲେଖାଏଁ ଗର୍ଭାଶୟ ଓ ଯୋନି ଦେଖିବାକୁ ମିଳିଥିଲା। ଏହା ସହ ଯୁବତୀଙ୍କ ଡାହାଣ କିଡ୍‌ନୀ ନଥିବା ଜଣାପଡ଼ିଥିଲା।

ଯୁବତୀଙ୍କ ଗର୍ଭାଶୟର ବାମ ପାର୍ଶ୍ୱ ଖୋଲା ଥିବା ବେଳେ ଡାହାଣ ପାର୍ଶ୍ୱ ବନ୍ଦ ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ହେଲେ ସେ ଗୋଟିଏ ପାର୍ଶ୍ୱ ଦେଇ ଋତୁସ୍ରାବ କରୁଥିଲେ। ଫଳରେ ଡାହାଣ ପାର୍ଶ୍ୱରେ ଧିରେ ଧିରେ ରକ୍ତ ଜମାଟ ବାନ୍ଧୁଥିଲା। ଶେଷରେ ଏହି ରକ୍ତ ଜମାଟ ଏକ ବଡ଼ ଧରଣର ଆକାର ହେବାରୁ ଯୁବତୀଙ୍କୁ ଯନ୍ତ୍ରଣା ଅନୁଭବ ହେଉଥିଲା।

ଆପୋଲୋ ହସ୍ପିଟାଲ୍ ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଜିଏସ୍ଏସ୍ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ପେଶିଆଲିଷ୍ଟ ଟିମ୍ ଯୁବତୀଙ୍କ ସଫଳ ଆସ୍ତ୍ରୋପଚାର କରି ଗର୍ଭାଶୟର ଡାହାଣ ପାର୍ଶ୍ୱକୁ ଖୋଲି ଦିଆଯାଇଛି। ସଫଳ ଆସ୍ତ୍ରୋପଚାର ପରେ ଯୁବତୀ ଜଣକ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଏଭଳି ବିରଳ ଅବସ୍ଥା ୧୦ ଲକ୍ଷ ମହିଳାଙ୍କ ମଧ୍ୟରୁ ଜଣଙ୍କ ପାଖରେ ଦେଖିବାକୁ ମିଳିଥାଏ ବୋଲି ଆପୋଲୋ ହସ୍ପିଟାଲ ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଜିଏସ୍ଏସ୍ ମହାପାତ୍ର କହିଛନ୍ତି। ଏହି ସଫଳତା ପାଇଁ ଆପୋଲୋ ହସ୍ପିଟାଲ୍ ଗ୍ରୁପର ଆଞ୍ଚଳିକ ସିଇଓ ସୁଧୀର ଏମ୍ ଡିଗିକର ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଛନ୍ତି।

Comment