ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କର ଆଜି ଜନ୍ମଦିନ। ୧୯୮୫, ମେ’ ୧୭ରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ କ୍ୟାରିୟର ସହ ଜଡ଼ିତ କିଛି କଥା ଜାଣିବା।

ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି  ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା। ଆଜି ସେ ଏକ ଜଣାଶୁଣା ଚେହେରା। କିନ୍ତୁ ବଲିଉଡରେ ନାଁ କରିବା ପାଇଁ ନୁସରତ ଭରୁଚାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। କାରଣ ଗୋଟିଏ ସମୟରେ ନୁସରତଙ୍କ ଫିଲ୍ମ ଲଗାତର ଫ୍ଲପ୍‌ ହୋଇଥିଲା। ତଥାପି ସେ ହାର ନମାନି ନିଜ ଚେଷ୍ଟା ଜାରି ରଖିଥିଲେ।

ନୁସରତ ଛୋଟ ପରଦାରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମେ ଜି ଟିଭିର ସିରିଏଲ ‘କିଟି ପାର୍ଟି’ରେ ଅଭିନୟ କରିଥିଲେ। ଏହି ସିରିଏଲ ୨୦୦୨ ମସିହାରେ ଆସିଥିଲା। ନୁସରତ ଭରୁଚା ଏକ ବର୍ଷ ମଧ୍ୟରେ କିଟି ପାର୍ଟି ସିରିଏଲ୍ ଛାଡିଥିଲେ। ଏହା ପରେ ସେ ଫିଲ୍ମ ପ୍ରତି ଆଗ୍ରହ ଦେଖାଇଥିଲେ। ଦୀର୍ଘ ଦିନର ସଂଘର୍ଷ ପରେ ୨୦୦୬ରେ ନୁସରତଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା।

ପିଲ୍ମ ‘ଜୟ ସନ୍ତୋଷୀ ମା’ରୁ ସେ ବଲଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ତାଙ୍କ ଡେବ୍ୟୁ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। ଏହାପରେ ତାଙ୍କୁ ୨୦୦୯ରେ ଫିଲ୍ମ ‘କାଲ୍ କିସ୍‌ନେ ଦେଖା ହୈ’ ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ମଧ୍ୟ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା, କିନ୍ତୁ ସେ ହାର ମାନିନଥିଲେ। ଏହା ପରେ ସେ ‘ଲଭ୍ ସେକ୍ସ ଅର ଧୋକା’ ଏବଂ ‘ପ୍ୟାର୍ କା ପଞ୍ଚନାମା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

‘ପ୍ୟାର୍ କା ପଞ୍ଚନାମା’ ସୁପରହିଟ ନହୋଇଥିଲେ ବି କାର୍ତ୍ତିକ ଆର୍ଯ୍ୟନ୍ ଏବଂ ନୁସରତଙ୍କ ଯୋଡିକୁ ଦର୍ଶକଙ୍କୁ ପସନ୍ଦ କରିଥିଲେ। ଏହା ପରେ ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଆରମ୍ଭ କଲେ। ୨୦୧୩ରେ ‘ଆକାଶ ବାଣୀ’ ଏକ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ କାର୍ତ୍ତିକ ଓ ନୁସରତଙ୍କୁ ପସନ୍ଦ କରିଥିଲେ ଦର୍ଶକ। ୨୦୧୫ରେ ପୁଣିଥରେ ନୁସରତ ‘ପ୍ୟାର କା ପଞ୍ଚନାମା ୨’ ଏକ ହିଟ୍ ପ୍ରମାଣିତ ହୋଇଥିଲା।

୨୦୧୮ରେ  ତାଙ୍କ କ୍ୟାରିଅର୍ ଏକ ନୂଆ ମୋଡ଼ ନେଇଥିଲା। ଏହି ବର୍ଷ ଫିଲ୍ମ ‘ସୋନୁ କେ ଟିଟୁ କି ସୁଇଟି’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ତାଙ୍କୁ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସନ୍ନି ସିଂଙ୍କ ଭଳି କଳାକାରଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ନୁସରତଙ୍କ ଶେଷ ଥର ପାଇଁ ଫିଲ୍ମ ‘ଡ୍ରିମ୍ ଗାର୍ଲ’ରେ ଦେଖିବାକୁ ମିଳିଥିଲା। ତାଙ୍କ ଏହି ଫିଲ୍ମ ମଧ୍ୟ ହିଟ୍ ବୋଲି ପ୍ରମାଣିତ ହୋଇଥିଲା।

Comment