ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆଁ ଲଗାଇ ଦୁଇ ପୁଅଙ୍କ ସହ ମା’ କରିଥିଲା ଆତ୍ମହତ୍ୟା ଉଦ୍ୟମ। ଏଥିରେ ମା’ ସହ ସାନ ପୁଅ ଆୟୁଷର ମୃତ୍ୟୁ ହୋଇଛି। ବଡ଼ ପୁଅ ଅଶ୍ଵିନୀ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଭୋପାଳ ଗାଁରେ ଶୋକର ଛାୟା ଖେଳିଯାଇଛି।

ପାରିବାରିକ କଳହରୁ ଶନିବାର ଭୋପାଳ ଗାଁର ଲୋଭାବତୀ ତାଙ୍କର ୮ ବର୍ଷର ପୁଅ ଅଶ୍ଵିନୀ ଓ ୩ ବର୍ଷର ପୁଅ ଆୟୁଷଙ୍କ ସହିତ ଘର ମଧ୍ୟରେ କିରୋସିନ ଢାଳି ହୋଇ ନିଆଁଲଗାଇ ଗୁରୁତର ଆହତ ହୋଇଥିଲେ। ଘର ମଧ୍ୟରୁ ପଡୋଶୀଙ୍କ ସହ ମିଶି ପରିବାରର ଲୋକେ ଏମାନଙ୍କୁ ଉଦ୍ଧାର କରି ନିକଟସ୍ଥ ରାଜନଗର ଡାକ୍ତରଖାନାକୁ ନେଇଥିଲେ।

ମା’ ଲୋଭାବତୀ ଓ ସାନପୁଅ ଆୟୁଷଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। କଟକରେ ଚିକିତ୍ସାଧିନ ଅବସ୍ଥାରେ ମା’ ଲୋଭାବତୀ ଓ ସାନପୁଅ ଆୟୁଷଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୮ ବର୍ଷର ବଡପୁଅ ଅଶ୍ଵୀନୀକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ଏବେ ନୂଆ ମୋଡ ନେଇଛି। ତାଙ୍କ ଝିଅ ଓ ଦୁଇ ନାତିଙ୍କୁ ପୋଡ଼ି ମାରିଦେବାକୁ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଛି ବୋଲି ଲୋଭାବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜ୍ଵାଇଁ ସଚିତ୍ର ସ୍ଵାଇଁ ଓ ଝିଅର ଶାଶୂ, ଶଶୂର, ଦେଢଶୁର ଓ ବଡ ଯା’ଙ୍କ ସମ୍ପୃକ୍ତି ରହିଛି  ବୋଲି ସେତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Comment