ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୯୯ ମହାବାତ୍ୟାକୁ ପୂରିଛି ୨୦ ବର୍ଷ। ଏହି ଅବସରରେ ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କେତେ ବାତ୍ୟା ମାଡ଼ ଖାଇଛି।

ପୂର୍ବ ଉପକୂଳ ଭାରତ ସବୁଠାରୁ ଅଧିକ ବାତ୍ୟାପ୍ରବଣ ଅଞ୍ଚଳ। ପୂର୍ବ ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଅଧିକ ଘୂର୍ଣ୍ଣିବାତ୍ୟା ସଂଘଟିତ ହୋଇଥାଏ। ବିଗତ ଦଶନ୍ଧିରେ ଓଡ଼ିଶାରେ କେବଳ ବାତ୍ୟା ନୁହେଁ ଅନେକ ରକମର ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବା ତଥ୍ୟରୁ ଜଣାପଡ଼ିଛି। ପ୍ରାୟ ପ୍ରତି ବର୍ଷ ବାତ୍ୟା କିମ୍ବା ମରୁଡ଼ି ଅଥବା ବନ୍ୟା ଏହିଭଳି ବିପର୍ଯ୍ୟୟ ଘଟି ଆସିଛି ଓ ଲୋକଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି।

ତଥ୍ୟ ଅନୁସାରେ ୧୮୯୧ରୁ ୨୦୨୦ ମଧ୍ୟରେ ମୋଟ ୧୦୦ଟି ବାତ୍ୟା ଓଡ଼ିଶା ଉପର ଦେଇ ଯାଇଛି। ଏଥିରେ ରହିଛି ସାଧାରଣ ବାତ୍ୟା, ବଡ଼ ବାତ୍ୟା ଓ ମହାବାତ୍ୟା। ଏହି ସଂଖ୍ୟା ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଖୁବ ଅଧିକ।

ଭାରତର ମୋଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ଅଂଶ ମାତ୍ର ୧୭ ଭାଗ। କିନ୍ତୁ ଏହି ୧୨୦ ବର୍ଷ ଭିତରେ ପୂର୍ବ ଉପକୂଳ ଦେଇ ଯେତେ ବାତ୍ୟା ଯାଇଛି ସେଥିରୁ ଓଡ଼ିଶା ୩୫ ପ୍ରତିଶତ ବାତ୍ୟାର ସମ୍ମୁଖୀନ ହୋଇଛି। ଓଡ଼ିଶା ୧୦୦ଟି ବାତ୍ୟା ଭୋଗିଥିବା ବେଳେ ପଶ୍ଚିମବଙ୍ଗ ୬୯ଟି ଓ ଆନ୍ଧ୍ର ପ୍ରଦେଶ ୭୯ଟି ବାତ୍ୟାର ସାମ୍ନା କରିଛି। ବାତ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି କେବଳ ନୁହେଁ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅମାପ ସମ୍ପତ୍ତି ନଷ୍ଟ ହୋଇଛି।

ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରଥମ ମହାବାତ୍ୟା ହୋଇଥିଲା ୧୭୩୭ ମସିହା ଅକ୍ଟୋବର ୭-୧୨ ତାରିଖ ମଧ୍ୟରେ। ୧୮୮୫ ସେପ୍ଟେମ୍ବର ୨୨ ତାରିଖରେ ଫଲସ ପଏଣ୍ଟରେ ଆଉ ଏକ ସାଙ୍ଘାତିକ ବାତ୍ୟା ଆସିଥିଲା। ଏଥିରେ ୫ ହଜାର ଲୋକ ମୃତ୍ୟୁବରଣ କରିଥିଲେ।

ସେହିଭଳି ଆଉ ଏକ ମହାବାତ୍ୟା ଆସିଥିଲା ୧୯୭୭ ନଭେମ୍ବର ୧୪ରୁ ୨୦ ମଧ୍ୟରେ। ଏହା ଆନ୍ଧ୍ରପ୍ରଦେଶର ନିଜାମପଟନମ ଦେଇ ଯାଇଥିଲା ଏବଂ ଏଥିରେ ଓଡ଼ିଶାର ପ୍ରଭୁତ କ୍ଷତି ହୋଇଥିଲା। ୧୯୯୦ ମେ’ ୪ରୁ ୧୧ ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟନମ ଦେଇ ଅନ୍ୟ ଏକ ବାତ୍ୟା ଯାଇଥିଲା ଯାହା ଓଡ଼ିଶାର କ୍ଷତି ସାଧନ କରିଥିଲା।

ନିକଟ ଅତୀତରେ ଆମ ସ୍ମୃତିରେ ରହିଛି ୧୯୯୯ ଅକ୍ଟୋବର ୨୯ ତାରିଖର ମହାବାତ୍ୟା। ଏହା ପାରାଦୀପ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ଏହି ସୁପର ସାଇକ୍ଲୋନରେ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ। ତେବେ ସବୁଠାରୁ ଭୟାନକ ବାତ୍ୟା ଆସିଥିଲା ୧୮୮୧ ଅକ୍ଟୋବର ୩୧ ତାରିଖରେ। ଏହା ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିଥିଲା ଓ ପ୍ରାୟ ୫୦ ହଜାର ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ।

ଅନ୍ୟ ଏକ ବଡ଼ ବାତ୍ୟା ଆସିଥିଲା ୧୮୬୪ ମସିହା ଅକ୍ଟୋବର ୨ରୁ ୫ ମଧ୍ୟରେ। ଏଇଟି ବି ଏକ ବଡ଼ ଧରଣର ବାତ୍ୟା ଥିଲା ଓ କଣ୍ଟେଇ ଦେଇ ପ୍ରବାହିତ ହୋଇଥିଲା। ଏଥିରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଓ ଲୋକ ବି ମରିଥିଲେ। ତା’ ପର ବର୍ଷ ନଭମ୍ବର ୧-୨ରେ ମଛଲିପଟନମ ଦେଇ ଏକ ବଡ଼ ବାତ୍ୟା ଯାଇଥିଲା। ଏହାର ଭୀଷଣ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ୧୯୪୨ ଅକ୍ଟୋବର ୧୪-୧୬ ମଧ୍ୟରେ ବି ଆଉ ଏକ ବଡ଼ ସାମୁଦ୍ରିକ ଝଡ଼ ଆସିଥିଲା। ଏଇଟି ବି ପଶ୍ଚିମବଙ୍ଗର କଣ୍ଟେଇ ଦେଇ ଯାଇଥିଲା।

ପାରାଦୀପ ଓ ପୁରୀ ମଧ୍ୟରେ ଏକ ବଡ଼ ଧରଣର ବାତ୍ୟା ଆନ୍ଧ୍ରପ୍ରଦେଶ ଦେଇ ୧୯୬୭ ଅକ୍ଟୋବର ୮ରୁ ୧୧ ମଧ୍ୟରେ ଯାଇଥିଲା। ଏହାର ପନ୍ଦର କୋଡ଼ିଏ ଦିନ ପରେ ଆଉ ଏକ ବାତ୍ୟା ପାରାଦୀପ ନିକଟରେ ଆସିଥିଲା ଓ ପ୍ରାୟ ଦଶ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୩ ଅକ୍ଟୋବର ୧୨ରୁ ୧୪ ଭିତରେ ଆସିଥିଲା ବାତ୍ୟା ଫାଇଲିନ। ଗୋପାଳପୁର ନିକଟରେ ଏହାର ଲ୍ୟାଣ୍ଡଫଲ ହୋଇଥିବା ବେଳେ ତା’ ପର ବର୍ଷ ଆସିଥିଲା ବାତ୍ୟା ହୁଡହୁଡ। ଏହା ଦକ୍ଷିଣ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

Fallen tree due to severe cyclone storm Titli in Gopalpur Odishaନିକଟରେ ତିତଲି ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ମାଡ଼ କରିଥିଲା ଓ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ପ୍ରଚୁର କ୍ଷତି ସହିଥିଲେ। ୬୧ ଜଣ ପ୍ରାଣ ହରାଇଥିଲେ।

ଗତବର୍ଷ ମେ’ ୩ରେ ବାତ୍ୟା ଫନି ପୁରୀ ନିଟକରେ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା ସମେତ ଅଧା ଓଡ଼ିଶା ଛାରଖାର ହୋଇଥିଲା। ଏହାପରେ ଆସିଥିଲା ବାତ୍ୟା ବୁଲବୁଲ୍‌। ଏହି ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନରେ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା।

Comment