ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପଟେ କରୋନାର ତାଣ୍ଡବ ଅନ୍ୟ ପଟେ ଅମ୍ପନର ଭୟ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଥିବା ୧୧ଟି କ୍ଵାରେଣ୍ଟିନ୍‌ ସେଣ୍ଟରରୁ ୨୫୦ ପ୍ରବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହି ସେଣ୍ଟରକୁ ସାନିଟାଇଜ କରାଯାଇ ସେଠାରେ ବାତ୍ୟା ବିପନ୍ନଙ୍କୁ ଥଇଥାନ କରାଯିବ।

କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗାଁମାନଙ୍କରୁ ଲୋକମାନଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ସ୍ଥାନାନ୍ତର କରିବାକୁ ପ୍ରଶାସକ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକରେ କୋଭିଡ ନିୟମକୁ କଡାକଡି ଭାବେ ଅନୁପାଳନ କରିବାକୁ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି।

୧୯ ତାରିଖ ସନ୍ଧ୍ୟା ସୁଧା ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳମାନଙ୍କରେ ଖାଦ୍ୟ ପାନୀୟ ବିଜୁଳି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ବିତ୍ପାତ ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି।

ଜିଲ୍ଲାର ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠି, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ପିଡି ଡିଆରଡିଏ ଦିଲ୍ଲୀପ ପରିଡା ଆଦି ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଏବେ ଜିଲ୍ଲାକୁ କରୋନା ପ୍ରଭାବିତ ପ୍ରବାସୀଙ୍କ ପାଇଁ ଅନେକ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକ ଅସ୍ଥାୟୀ କୋଭିଡ୍ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଉଭୟ କରୋନା ମୁକାବିଲା ସାଙ୍ଗକୁ ଅମ୍ପାନର ମୁକାବିଲା ଜିଲ୍ଲା ପ୍ରଶାସନ ପାଇଁ ଗୁରୁତ୍ଵ ବହନ କରିଛି ।

ଆଜି ରାତିରେ ରାଜନଗର ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର। ତଳିଆ ସ୍ଥାନ ମାନଙ୍କରେ ବସବାସ କରୁଥିବା ଲୋକ ମାନଙ୍କୁ ବିଭିନ୍ନ ବିତ୍ୟା ଆଶ୍ରୟ ସ୍ଥଳ ମାନଙ୍କୁ ଆଣିବା ଆରମ୍ଭ ହୋଇଛି ବୋଲି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି।

Comment