ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି ସେ ଛାଡ଼ିଥିବା କେତୋଟି ଫିଲ୍ମ ବି ବ୍ଲକବଷ୍ଟର ହୋଇଛି ଆସନ୍ତୁ ଜାଣିବା ସେହି ସିନେମା ସମ୍ପର୍କରେ

ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କ ଅଭିନୀତ ଅଧିକାଂଶ ହିନ୍ଦୀ ସିନେମା ବ୍ଲକବଷ୍ଟର ହୋ‍ଇଛି। ହେଲେ ଆପଣ ଜାଣନ୍ତି କି ଅତୀତରେ ସଲମାନ୍ ଖାନ୍ ଏମିତି କେତୋଟି ସିନେମାର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ବ୍ଲକବଷ୍ଟର ଫିଲ୍ମର ମାନ୍ୟତା ଲାଭ କରିଥିଲା। ଆସନ୍ତୁ ନଜର ପକାଇବା ସଲମାନ୍ କେଉଁସବୁ ଏଭଳି ସୁପରଡୁପରହିଟ୍ ଫିଲ୍ମକୁ ହାତଛଡ଼ା କରିଥିଲେ।

ଗଜିନୀ

ଅମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି ‘ଗଜିନୀ’ର ଅଫର୍ ପ୍ରଥମେ ମିଳିଥିଲା ସଲମାନ୍ ଖାନ୍‌ଙ୍କ। କିନ୍ତୁ ସେ ‘ତେରେ ନାମ୍’ରେ ସେଭଳି ରୋଲ୍ କରିଥିବା ହେତୁ ମନା କରିଥିଲେ। ତା’ପରେ ନିର୍ଦ୍ଦେଶକ ଏ.ଆର୍. ସରୁଗାଦୋସ୍ ସେହି ସିନେମାର ଅଫର୍ ନେଇ ପହଞ୍ଚିଥିଲେ ମିଷ୍ଟର ପରଫେକ୍ଟନିଷ୍ଟ୍ ଅମୀର ଖାନଙ୍କ ନିକଟରେ।

କାହାଣୀ ଶୁଣିବା ପରେ ଅମୀର ଖାନ୍ ରାଜି ହୋଇଥିଲେ। ତା’ ନହେଲେ ହୁଏତ ଅମୀରଙ୍କ ସ୍ଥାନରେ ସଲମାନଙ୍କୁ ଦେଖିଥାନ୍ତେ ଦର୍ଶକ।

ଚକ୍‌ ଦେ ଇଣ୍ଡିଆ

ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଚକ୍‌ ଦେ ଇଣ୍ଡିଆ’ରେ ଶାହରୁଖ୍ ଖାନ୍‌ଙ୍କୁ ଜଣେ ଦେଶପ୍ରେମୀ ହକି କୋଚ୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ହେଲେ ଭୂମିକାଟି ପ୍ରଥମେ ସଲମାନ୍ ଖାନ୍‌ଙ୍କୁ ମିଳିଥିଲା। କିନ୍ତୁ ସଲମାନ୍ ଖାନ୍ ଡେଟ୍ସ ସମସ୍ୟା ଯୋଗୁଁ ଏହି ସିନେମାର ଅଫରକୁ ହାତଛଡ଼ା କରିଥିଲେ।

କଲ୍ ହୋ ନା ହୋ

କରଣ ଜୋହରଙ୍କ ପ୍ରଯୋଜିତ ତଥା ନିଖିଲ ଆଡଭାନିଙ୍କ ନିର୍ଦ୍ଦେଶିତ ‘କଲ୍ ହୋ ନା ହୋ’ ଏକ ସୁପରହିଟ୍‍ ସିନେମା। ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ କରିଥିବା ଭୂମିକା ଲାଗି ପ୍ରଥମେ ସଲମାନ୍ ଖାନଙ୍କୁ ଆପ୍ରୋଚ୍ କରାଯାଇଥିଲା। ହେଲେ ସଲମାନ୍ ଖାନ୍ ଏଥିରେ ଶାହରୁଖ୍ ଖାନ୍‌ଙ୍କ ସହିତ ସେକେଣ୍ଡ୍ ଲିଡ୍ ରୋଲ୍‌ କରିବାକୁ ମନା କରିଦେଇଥିଲେ।

ଜୋଶ୍

ଲୋକପ୍ରିୟ ନିର୍ଦ୍ଦେଶକ ମନ୍‌ସୁର ଖାନ୍‌ ଚାହୁଁଥିଲେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋଶ୍’ରେ ମ୍ୟାକ୍ସ ଦିଆସ୍ ଭୂମିକାଟି ସଲମାନ୍ ଖାନ୍ କରନ୍ତୁ। ଏଥିପାଇଁ ସେ ସଲମାନ୍ ଖାନଙ୍କୁ ଅଫର୍ ମଧ୍ୟ ଦେଇଥିଲେ। କିନ୍ତୁ ନିଜର ଡେଟ୍ସ ସମସ୍ୟା ଦର୍ଶାଇ ସଲମାନ୍ ଏହି ଫିଲ୍ମକୁ ବି ପ୍ରତ୍ୟାଖ୍ୟାନ କରିଥିଲେ। ପରେ ଏହି ଭୂମିକାଟି ମିଳିଥିଲା ଶାହରୁଖ୍ ଖାନଙ୍କୁ। ‘ଜୋଶ୍’ ସିନେମା ସୁପରହିଟ୍ ହୋଇଥିଲା।

ବାଜିଗର୍

ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ୍- ମସ୍ତାନଙ୍କ ପ୍ରଥମ ବ୍ଲକବଷ୍ଟର ମୁଭି ଥିଲା ‘ବାଜିଗର’। ଏହି ଫିଲ୍ମରେ ଆଣ୍ଟି-ହିରୋ ରୋଲ୍‌ ଲାଗି  ଅବ୍‌ବାସ୍‌- ମସ୍ତାନ୍ ପ୍ରଥମେ ସଲମାନ୍ ଖାନଙ୍କୁ ଅନୁରୋଧ କରିଥିଲେ। ସଲମାନ୍ ଖାନ୍ କୌଣସି ସିନେମାରେ ଆଣ୍ଟି-ହିରୋ ବା ନେଗେଟିଭ୍ ରୋଲ୍‌ କରିବେ ନାହିଁ ବୋଲି କହି ନିର୍ଦ୍ଦେଶକଙ୍କୁ ନିରାଶ କରିଥିଲେ।

ଏହାପରେ ଅବ୍‌ବାସ- ମସ୍ତାନ୍ ଏହି ଫିଲ୍ମ ପାଇଁ ଶାହରୁଖ୍ ଖାନଙ୍କୁ ଚୁକ୍ତିବଦ୍ଧ କରିଥିଲେ। ସେତେବେଳକୁ ଶାହରୁଖ୍ ଖାନ୍ ଷ୍ଟାର୍ ହୋଇନଥିଲେ। ‘ବାଜିଗର’ ରିଲିଜ୍ ହେବା ପରେ ଏହା ବ୍ଲକବଷ୍ଟର ହୋ‌ଇଥିଲା ଓ ଏହା ଶାହାରୁଖଙ୍କୁ ଷ୍ଟାର ଷ୍ଟାଟସ୍ ଦେଇଥିଲା। ଖାଲି ସେତିକି ନୁହେଁ, ଏହାପରେ ଶାହାରୁଖ୍ ଖାନଙ୍କର ମାର୍କେଟ୍ ପ୍ରାଇସ୍ ବି ବଢ଼ିଯାଇଥିଲା।

Comment