ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡି ଆସୁଛି ଅମ୍ପନ। କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ପ୍ରତି ରହିଛି ବିପଦ। ଏନେଇ ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ସ୍ଥାନାନ୍ତର ବେଳେ ରାଜନଗର ବ୍ଲକ ତାଳଚୂଆ ଓ ବାଘମାରୀ ପଞ୍ଚାୟତରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଓ କେନ୍ଦ୍ରାପଡା ଏସ୍ ପି ନିତିଶେଖର।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୂଆ ଓ ବାଘମାରୀ ପଞ୍ଚାୟତର ବିଭିନ୍ନ ଗାଁରେ ବାସକରନ୍ତି ଶହଶହ ମତ୍ସ୍ୟଜୀବୀ। ଏହି ଗାଁରେ ଅଧିକାଂଶ ଚାଳଛପର ଘର। ସମୁଦ୍ରରେ ମାଛମାରି ଜୀବନ ଜୀଉଥିବା ମତ୍ସ୍ୟଜୀବୀ ମାନେ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ଅଛନ୍ତି। ବାତ୍ୟା ମୁହଁରୁ ଏମାନଙ୍କ ସୁରକ୍ଷା ପାଇଁ ଏହି ଗାଁରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଓ କେନ୍ଦ୍ରାପଡା ଏସପି ନିତିଶେଖର।

ସ୍ଥାନୀୟ ତାଳଚୂଆ ସାମୁଦ୍ରିକ ଥାନାର ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଏମାନଙ୍କୁ ବୁଝାସୁଝା କରି ବାତ୍ୟା ଆଶ୍ରୟ ସ୍ଥଳକୁ ଆଣିବାରେ ସକ୍ଷମ ହୋଇଛନ୍ତି। ବାତ୍ୟାଆଶ୍ରୟ ସ୍ଥଳରେ ଏମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି।

ବାତ୍ୟାଆଶ୍ରୟ ସ୍ଥଳରେ ରହିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ମାକ୍ସ ପିନ୍ଧିବା ଆଦି କରୋନା ସଚେତନତା କରିଛନ୍ତି ଏହି ପୋଲିସ ଅଧିକାରୀ ମାନେ। ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ, ଜେନେରେଟର, ସୁଖିଲା ଖାଦ୍ୟ, ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଆଇଜି।

Comment