ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି ଅମ୍ପନ
  • ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆସୁଛି
  • ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ
  • ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ
  • ଆସନ୍ତାକାଲି ସକାଳୁ ସନ୍ଧ୍ୟା ଯାଏଁ ସତର୍କ ସୂଚନା
  • ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପ୍ରଭାବ ରହିବ
  • ୩୧ଟି ଏନଡିଆର୍‌ଏଫ୍‌ ଓ ଓଡ୍ରାଫ ଟିମ୍‌ ପଠାଯାଇଛି

ଗତକାଲି ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇଥିଲା ଅମ୍ପନ। ଆଜି ସକାଳେ ଏହା ମହାବାତ୍ୟାରୁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ଅମ୍ପନ ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆଗକୁ ଆସୁଛି। ବାତ୍ୟା ଉତ୍ତର ପୂର୍ବ ଦିଗକୁ ଗତି କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

ବାତ୍ୟା ଅମ୍ପନ ଆସନ୍ତାକାଲି ଅପରାହ୍‌ଣରୁ ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ।

ଏହାର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ପବନ ହେବ। ୨୦ ତାରିଖ ସକାଳୁ ସନ୍ଧ୍ୟା ଯାଏଁ ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରଭାବ ରହିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପ୍ରଭାବ ରହିବ। ଏହାସହ ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବ। ଏହିସବୁ ଜିଲ୍ଲାରେ ବର୍ଷା ସହିତ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ।

ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ଗତକାଲି ସନ୍ଧ୍ୟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଗଜପତି ଜିଲ୍ଲାରେ ମଧ୍ୟ ୪୦୦ରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟାକୁ ଦୃଷ୍ଟିରେ ଏହିସବୁ ଜିଲ୍ଲାମାନଙ୍କୁ ୧୫ଟି ଓଡ୍ରାଫ୍‌ ଏବଂ ୧୫ଟି ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି। ଜଗତସିଂହପୁର ଜିଲ୍ଲାକୁ ଗୋଟିଏ ଏନଡିଆରଏଫ୍‌ ଟିମ୍‌ ଯିବ। ଏହାସହ ୨୧୭ ଅଗ୍ନିଶମ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମର ୭୫ଟି ଟିମ୍‌ ମଧ୍ୟ ପ୍ରସ୍ତୁତ ଅଛନ୍ତି।

Amphanପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ବିଭାଗ ମଧ୍ୟ ସମ୍ଭାବ ବାତ୍ୟା ପାଇଁ ସଜାଗ ଅଛନ୍ତି। ଶକ୍ତି ବିଭାଗର ସାଢ଼େ ୩ ହଜାର କର୍ମଚାରୀ ସଜାଗ ଅଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଡିଜି ସେଟ୍‌ ପ୍ରସ୍ତୁତ କରି ରଖାଯାଇଛି। ଜଳ ଯୋଗାଣ ପାଇଁ ପାଣି ଟାଙ୍କି ମଧ୍ୟ ପ୍ରସ୍ତୁତ ହୋଇ ରହିଛି।

ବାତ୍ୟା ସମୟରେ ପ୍ରଶାସନର ନିୟମକୁ ମାନିବାକୁ ଏସ୍‌ଆର୍‌ସି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ପବନ ବେଳେ ଘରୁ କେହି ବାହାରକୁ ବାହାରନ୍ତୁ ନାହିଁ। ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ବ୍ୟବହାର କରନ୍ତୁ।

Comment