ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଅମ୍ପନ ପ୍ରଭାବ ପକାଇବାର ସମ୍ଭାବନା ଥିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସମୁଦ୍ର କୂଳିଆ ଅଞ୍ଚଳରେ ସ୍ଥିତି କେମିତି ଅଛି ତାହା ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଜିଲ୍ଲାପାଳ ସମର୍ଥ ବର୍ମା।

ହେମନ୍ତ ଶର୍ମା କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ମହାକାଳପଡା ବ୍ଲକର ସ୍ଥିତି ପରଖିଥିବା ବେଳେ ରାଜନଗର ବ୍ଲକର ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳରେ ପହଞ୍ଚି ସମୀକ୍ଷା କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା। ୨୫ ହଜାରୁ ଅଧିକ ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ମହାକାଳପଡା ବ୍ଲକ ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ଉଦ୍ଧାର ଓ ଥଇଥାନର ସ୍ଥିତି ସମୀକ୍ଷା କରିଛନ୍ତି ହେମନ୍ତ ଶର୍ମା ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ବଙ୍ଗୋପସାଗର କୂଳରେ ରହିଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ। ଗୋଟିଏପଟେ ପାରାଦୀପ ବନ୍ଦର ଏହି ବ୍ଲକ ପାଖକୁ ଲାଗି ରହିଛି। କେବଳ ମହାନଦୀ ମୁହାଣ ପାରାଦୀପ ବନ୍ଦର ଓ ମହାକାଳପଡା ବ୍ଲକ ଅଞ୍ଚଳକୁ ଦୁଇଭାଗ କରିଛି। ଏହି ବ୍ଲକରେ ରହିଛି ୩୧ଟି ଗ୍ରାମପଞ୍ଚାୟତ। ସଥି ମଧ୍ୟରୁ ୧୧ ଟି ପଞ୍ଚାୟତ ସମୁଦ୍ର କୂଳ ଓ ମହାନଦୀ ମୁହାଣ ଅଞ୍ଚଳକୁ ସଂଯୁକ୍ତ କରିଛି। ଅମ୍ପନ ପାଇଁ ଉଚ୍ଚ ସାମୁଦ୍ରିକ ଜୁଆର ଜହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାର ଭୟ ରହିଛି। ଏଣୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନ ଓ ବାତ୍ୟାଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ଗତ କାଲିଠାରୁ ଜିଲ୍ଲା ପ୍ରଶାସନ ସତର୍କ କରାଇଛି।

ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଡିଓ ଓ ବ୍ଲକ ସ୍ତରୀୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ ଶ୍ରୀ ଶର୍ମା। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ସମୀକ୍ଷାରେ ଭାଗନେଇଥିଲେ। ସମସ୍ତ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ ସୁଖିଲା ଖାଦ୍ୟ ବ୍ୟବସ୍ଥା କରିବାକୁ ସଚିବ ଗୁରୁତ୍ବ ଦେଇଥିଲେ। ପାନୀୟ ଜଳ, ଜେନେରେଟର ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସରପଞ୍ଚମାନେ ବାତ୍ୟା ଆଶ୍ରୟସ୍ଥଳରେ ରହିଥିବା ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ଶର୍ମା। ବ୍ଲକରେ ରହିଛି ୪୪ଟି ବାତ୍ୟା ଆଶ୍ରୟସ୍ଥଳୀ। ବିଶେଷକରି ରାମନଗର, ଖରିନାସୀ, ବତୀଘର, ଜମ୍ବୁ, ସୁନିତୀ, ବଉଳକଣି, ପେଟଛେଲା ଆଦି ପଞ୍ଚାୟତର ତଳିଆ ଅଞ୍ଚଳର ଲୋକମାନଙ୍କୁ ସେହି ଗାଁରେ କିମ୍ବା ପାଖ ଗାଁ ମାନଙ୍କରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ବ୍ଲକର ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳରରେ ଲୋକଙ୍କୁ ଉଦ୍ଧାର ଓ ଥଇଥାନ  କରାଯାଇଥିବା ସୂଚନା ମିଳିଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ମାନଙ୍କରେ ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୨୫ ହଜାର ଲୋକମାନଙ୍କୁ ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳକୁ ଆଣିଛି ଜିଲ୍ଲା ପ୍ରଶାସନ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଜି ରାଜନଗର ବ୍ଲକର ବିଭିନ୍ନ ବାତ୍ୟାଆଶ୍ରୟସ୍ଥଳ ମାନଙ୍କରେ ବିପନ୍ନମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ।  ରାତି ୧୨ଟା ଯାଏ ଏହା ଆହୁରି ବଢିବ ବୋଲି ସେ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ରାଜନଗର ବ୍ଲକର ସାତଭାୟା ଦୁର୍ଗମ ଅଞ୍ଚଳର ମଗରକନ୍ଦା ଓ ଅଡାସଲ ଠାରେ ବିଭିନ୍ନ ସ୍ଥାନରେ ବିଲବାଡିରେ ଘରକରି ରହୁଥିବା  ୬୦ ଜଣଙ୍କୁ ବର୍ଷା ରାତିର ଭିଜିଭିଜି ଉଦ୍ଧାର କରିଛନ୍ତି ରାଜନଗର ଥାନା ଆଇଆଇସି ତପନ ନାୟକ୍ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ। ରାତି ବଢୁଥିବାରୁ ବିପଦ ବଢୁଥିଲେ ମଧ୍ୟ ଏହି ବିପନ୍ନମାନେ ସେମାନଙ୍କ କୁଡିଆ ଘର ଛାଡି ଆସୁନଥିଲେ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Comment