ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ମହାବାତ୍ୟା ଅମ୍ପନ। ଏହି ମହାବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପଶ୍ଚିମବଙ୍ଗ। ଏପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିସାରିଲେଣି ପଶ୍ଚିମବଙ୍ଗ ସରକାର। ଏହାସହ ବାତ୍ୟାର ମୁକାବିଲା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ପଶ୍ଚିମବଙ୍ଗରେ ପାଣିପାଗ ବିଭାଗ ତରଫରୁ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି। ପଶ୍ଚିମବଙ୍ଗର କୋଲକାତା, ହୁଗଳି, ହାଓ୍ଵଡା, ଦକ୍ଷିଣ ଏବଂ ଉତ୍ତର ୨୪ ପରଗଣାସ ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ମେ’ ୨୦ ତାରିଖ ସକାଳେ ବାତ୍ୟାର ପରିମାଣ ବଢ଼ିପାରେ।

ମହାବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଶାହ କହିଛନ୍ତି।

ମହାବାତ୍ୟା ୨୦ ତାରିଖ ଅପରାହ୍‌ଣରେ ଦିଘା ଓ ହାତିଆ ଦୀପ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଏଥିରେ ପଶ୍ଚିମବଙ୍ଗ ଅଧିକ କ୍ଷତିଗ୍ରସ୍ତ ହେବ। ବର୍ତ୍ତମାନ ବାତ୍ୟା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡ଼େ ମୁହାଁଉଛି। ଏହା ଏବେ ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି।

Comment