ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ଅମ୍ପନ। ଆଜି ସନ୍ଧ୍ୟାରେ ଏହି ଝଡ଼ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗରେ ତାର କରାଳ ରୂପ ଦେଖାଇଛି। ବର୍ତ୍ତମାନ ଏହି ବାତ୍ୟା କୋଲକାତାରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି।

ବାତ୍ୟା ଅମ୍ପନ ପ୍ରଭାବରେ କୋଲକାତା, ହାୱଡା ଏବଂ ୨୪ ପ୍ରଗଣା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଜୋର୍‌ରେ ପବନ ମଧ୍ୟ ବହୁଛି। ଘଣ୍ଟାକୁ ୧୦୦ କିଲୋମତଟର ବେଗରେ ପବନ ବହୁଥିବା ସୂଚନା ମିଳିଛି। ଗଛ ଉପୁଡ଼ି ପଡ଼ିବାରୁ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହାୱାଡର ହୋଇଥିବା ବେଳେ ଆଉ ଜଣେ ୨୪ ପ୍ରଗଣା ଜିଲ୍ଲାର ବୋଲି ଜଣାପଡ଼ିଛି।

ବାତ୍ୟା ଅମ୍ପନ ଆଜି ଓଡ଼ିଶାରେ ପ୍ରଭାବ ପକାଇଥିଲା। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ପଶ୍ଚିମବଙ୍ଗରେ ପ୍ରଳୟ କରୁଛି। ଏହାପରେ ବାତ୍ୟା ବାଂଲାଦେଶ ମୁହାଁ ହେବ। ଧୀରେ ଧୀରେ ଦୁର୍ବଳ ଆସାମ, ତ୍ରିପୁରା ଯିବ। ଆସାମ ଓ ତ୍ରିପୁରାରେ ସେମିତି କିଛି କ୍ଷତି ଘଟିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comment