ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ବେଳେ ମଣିଷ ପଣିଆର ବାର୍ତ୍ତା ଦେଇଛି କେନ୍ଦ୍ରାପଡ଼ା ପୋଲିସ।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅନେକ ସମୟରେ ପୋଲିସର ନିଷ୍ଠୁରତା ପାଇଁ ପୋଲିସ ଉପରୁ ଲୋକେ ଭରସା ତୁଟାଇ ଦେବାର ନଜିର ରହିଛି। ହେଲେ ଏହି ପ୍ରଳୟଙ୍କରୀ ଅମ୍ଫନ ବାତ୍ୟା ସମୟରେ ପୋଲିସ ବିପଦ ବେଳର ବନ୍ଧୁ ସାଜି ଲୋକଙ୍କୁ ସହାୟତା କରିଛି। ବାତ୍ୟା ବିପଦ ସମୟରେ ଛାତି ଦେଖାଇ ବିପନ୍ନଙ୍କୁ ସହାଯ୍ୟ କରି କେନ୍ଦ୍ରାପଡା ପୋଲିସ।

ଅମ୍ଫନ ଚାଲି ଯାଇଛି, ହେଲେ ଛାଡି ଯାଇଛି କିଛି ସ୍ମୃତି ଆଉ ଅନୁଭୂତିକୁ। ଭୟଙ୍କର ଭାବେ ଅମ୍ଫନ ଆସିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିବ। ଘନଘନ ଏହି ଖବରର ଭୟରେ ଶିହରି ଉଠୁଥିଲେ କେନ୍ଦ୍ରାପଡା ଜିଲ୍ଲାର ଲୋକେ। ଜିଲ୍ଲାର ସମୁଦ୍ର ଉପକୂଳ ଅଞ୍ଚଳରେ ଲୁଣା ଜୁଆର ମାଡିଆସିବାର ଆଶଙ୍କାରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ଲାଗିପଡିଥିଲା। ହେଲେ ରାଜନଗର ବ୍ଲକ ସାତଭାୟା ପଞ୍ଚାୟତର ମଗରକନ୍ଦା ଓ ଅଢାସଲ ଅଞ୍ଚଳରେ କେତେକ କୃଷକ, ଘୁଷୁରି ପାଳକ ଓ ମଇଁଷି ପାଳକମାନେ ଜମିରେ ତିଆରି କରିଥିବା କୁଡିଆ ଘର ଛାଡି ଆସିନଥିଲେ।

ସମୁଦ୍ରଠାରୁ ମାତ୍ର ଅଳ୍ପ କିଛି ଦୂରରେ ଏମାନେ କଳା କିଟିକିଟି ଅନ୍ଧାର ରାତିରେ ଏହି କୁଡିଆ ଘରେ ଜୀବନକୁ ପାଣି ଛଡେଇ ରହିଥିଲେ। କଥା ପହଞ୍ଚିଥିଲା ରାଜନଗର ଥାନାରେ। ଥାନାର ଆଇଆଇସି ତପନ କୁମାର ନାୟକ ଏହି ଘଟଣା ଶୁଣି ସଦଳବଳେ ଏହି ସ୍ଥାନରେ ପହଞ୍ଚିବାକୁ ବାହାରିଥିଲେ। ବର୍ଷା ଆରମ୍ଭ ହୋଇସାରିଥାଏ। ଯେଉଁ ସ୍ଥାନରେ ପହଞ୍ଚିବାକୁ ଦିନରେ ଭୟ ଲାଗେ ସେଠି ପୋଲିସ କର୍ମଚାରୀ ପହଞ୍ଚିଥିଲେ।

ଭିତରକନିକା ଜଙ୍ଗଲ ଘେରା ଏହି ସ୍ଥାନ। ବାଉଁଶଗଡ ନଦୀ ପାର ହେଲେ ପଡିବ ଏହି ନିଛାଟିଆ ସ୍ଥାନ। କଳା କିଟିକିଟି ରାତିରେ ବର୍ଷାରେ ଭିଜିଭିଜି ଖାଲିପାଦରେ ଚାଲିଚାଲି  ଜୀବନକୁ ବାଜି ଲଗେଇ ମଗରକନ୍ଦାରେ ପହଞ୍ଚିଥିଲେ ଆଇଆଇସି ତପନ ଏବଂ ତାଙ୍କ ଟିମ୍‌। ସେଠାରେ ରହୁଥିବା ୬୦ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଓକିଲପାଳ ଗାଁକୁ ନେଇ ଆସିଥିଲେ। ଯଦି ଉଚ୍ଚ ଜୁଆର ଆସିଥାନ୍ତା ଏହି ୬୦ ଜଣଙ୍କ ଅବସ୍ଥା କ’ଣ ହୋଇଥାନ୍ତା ତାହା କହିବା ମୁସ୍କିଲ ହୋଇଯାଇଥାନ୍ତା। ରାଜନଗରର ଥାନା ବାବୁ ତପନ ନାୟକଙ୍କର ଏହି ମଣିଷ ପଣିଆ ପାଇଁ ଏବେ ପ୍ରଶଂସାର ସୁଅ ଛୁଟୁଛି।

ସେହିପରି ରଜନଗରର ସମୁଦ୍ର ମୁହାଣ ଅଞ୍ଚଳରେ ଥିବା ତାଳଚୂଆ ସାମୁଦ୍ରିକ ଥାନାର ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କ ଆଖିରୁ ନିଦ ହଜାଇ ଦେଇଥିଲା ଅମ୍ଫନ। ତାଳଚୂଆ, ରଙ୍ଘଣି ଓ ବାଘମାରୀ ପଞ୍ଚାୟତରେ ବାସକରୁଥିବା ମତ୍ସ୍ୟଜୀବୀମାନଙ୍କର ସେ ବିପଦର ସାଥୀ ହୋଇଛନ୍ତି। ଦୁଇଦିନ ଧରି ଗାଁ ଗାଁରେ ବୁଲିବୁଲି ଶହଶହ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚାଇ ସେମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ନିଜ ଥାନା ଅଞ୍ଚଳ ସମୁଦ୍ର ଜୁଆରରେ ପାଣିଘେରକୁ ଚାଲିଯିବା ପରେ ମଧ୍ୟ ପ୍ୟାଣ୍ଟ ଟେକିଟେକି ଥାନାରେ ପହଞ୍ଚି ଲୋକମାନଙ୍କ ଦୁଃଖ ସୁଖ ବୁଝିବାରେ ହେଳା କରିନାହାନ୍ତି।  ଝଡ ଶେଷରେ ରାସ୍ତାରେ ଭାଙ୍ଗି ପଡିଥିବା ବଡବଡ ଗଛଗୁଡିକୁ ଏନ୍ ଡି ଆର୍ ଏଫ୍ ଟିମ୍ ସହ ମିଶି କାଟି ରାସ୍ତା ସଫା କରିଛନ୍ତି।

ସେହିପରି ମାର୍ଶାଘାଇ ଥାନା ଆଇଆଇସି ଓ ତାଙ୍କ ଟିମ୍ ଆଜି ମାର୍ଶାଘାଇ ମହାକାଳପଡା କେନାଲ ରାସ୍ତା ଓ ୫ ନମ୍ବର କ ଜାତୀୟ ରାଜପଥରେ ପଡିଥିବା ଗଛଗୁଡିକୁ ନିଜେ ଟାଙ୍ଗିଆରେ ହାଣି ସଫାକରି ରାସ୍ତାଗୁଡିକୁ ଅବରୋଧ ମୁକ୍ତ କରିଛନ୍ତି।

ପୋଲିସ କେବଳ ଆଇନଶୃଙ୍ଖଳା ପାଇଁ ନୁହେଁ, ପୋଲିସର ମଣିଷପଣିଆ ଏବେ ଅନେକ ପୋଲିସ ବାବୁଙ୍କ ପାଇଁ ଉଦାହରଣ ହୋଇ ରହିବ ନିଶ୍ଚୟ।

Comment