ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରବନରେ ହିଁ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଛି। ଅପରାହ୍‌ଣ ସାଢ଼େ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୪ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିବ।

ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିଛି। ୯୧ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟା ପରେ ପବନର ବେଗ କମିଯିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଗତ ରାତିରୁ ଆଜି ସକାଳ ପର୍ଯ୍ୟପନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଅଧିକ ରହିଥିଲା। ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ପବନ ରେକର୍ଡ କରାଯାଇଛି। ବାଲେଶ୍ୱରରେ ୯୧ ଏବଂ ଚାନ୍ଦବାଲିରେ ୭୪ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ ରହିଛି।

ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା କୋଲକାତା ଅଭିମୁଖେ ଆସିବ। ସେତେବେଳେ ପବନର ବେଗ ୧୩୫ କିଲୋମିଟର ରହିପାରେ। ବର୍ତ୍ତମାନ ୱାଲ କ୍ଲାଉଡ୍‌ ସ୍ଥଳଭାଗ ଛୁଇଁଛି। ବାତ୍ୟାର ଆଖି ଏବେ ସ୍ଥଳଭାଗ ଛୁଇଁବାକୁ ଯାଉଛି। ବାତ୍ୟାର ଆଖି ଯେଉଁ ଅଞ୍ଚଳ ଦେଇ ଯିବ ସେଠି ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି।

Comment