ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନେସ୍କୋ, ସାଉଥକୋ ଏବଂ ସେସୁ ଅଞ୍ଚଳର ପ୍ରାୟ ୪୬ ଲକ୍ଷ ଉପଭୋକ୍ତା ପ୍ରଭାବିତ
  • ନେସ୍କୋ ଅଞ୍ଚଳରେ ୧୮ ଲକ୍ଷ 
  • ସାଉଥକୋ ଅଞ୍ଚଳରେ ୨ ଲକ୍ଷ 
  • ସେସୁ ଅଞ୍ଚଳରେ ୨୬ରୁ ୨୭ ଲକ୍ଷ ପ୍ରଭାବିତ

ବାତ୍ୟା ଅମ୍ପନ ମାଡ଼ରେ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ନେସ୍କୋ, ସାଉଥକୋ ଏବଂ ସେସୁ ଅଞ୍ଚଳର ପ୍ରାୟ ୪୬ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ନେସ୍କୋ ଅଞ୍ଚଳରେ ସବୁଠୁ ଅଧିକ କ୍ଷତି ହୋଇଛି। ଏହି ଅଞ୍ଚଳରେ ପ୍ରାୟ ୧୮ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେହିପରି ସାଉଥକୋ ଅଞ୍ଚଳରେ ୨ ଲକ୍ଷ ଏବଂ ସେସୁ ଅଞ୍ଚଳରେ ୨୬ରୁ ୨୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବାତ୍ୟା ପରିଚାଳନା ଠିକ୍‌ ଭାବେ ହୋଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଆଗୁଆ ସଜାଗ ହୋଇ ରହିଥିଲେ। ବାତ୍ୟା ସରିବାମାତ୍ରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ କାମ ଆରମ୍ଭ ହୋଇଥିଲା। ଗତକାଲି ରାତି ୧୨ଟା ଯାଏଁ କାମ ଚାଲିଥିଲା। ଆଜି ସକାଳୁ ବି କାମ ଆରମ୍ଭ ହୋଇଛି’’, କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ସେ ଆହୁରି କହିଛନ୍ତି ଯେ, ସେସୁ ଅଞ୍ଚଳରେ ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ ଦିଆଯିବ। ସବୁଠୁ ଅଧିକ କ୍ଷତି ହୋଇଥିବା ନେସ୍କୋ ଅଞ୍ଚଳରେ ୨ ଦିନ ଭିତରେ ୯୦ରୁ ୯୫ ପ୍ରତିଶତ ଲୋକଙ୍କୁ ବିଜୁଳି ସଂଯୋଗ ଦିଆଯିବ।

ବାତ୍ୟା ଅମ୍ପନ ମାଡ଼ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଫଳରେ ଅଧିକାଂଶ ଅଞ୍ଚଳ ଏବେ ଅନ୍ଧାରରେ ରହିଛି।

Comment