ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜି ବିଶ୍ୱ ସଂସ୍କୃତି ଦିବସ
  • କରୋନା ପାଇଁ ଏଥର ମଞ୍ଚ ନୁହେଁ, ‘ଡିଜିଟାଲ ପ୍ଲାଟଫର୍ମ’
  • ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇଲା ସଂସ୍କୃତି ଜଗତ

ପ୍ରତିବର୍ଷ ମେ’ ୨୧ରେ ବିଶ୍ୱ ସଂସ୍କୃତି ଦିବସ ପାଳନ କରାଯାଏ। ଏହି ଦିନକୁ  ‘ଓ୍ୱାର୍ଲ୍ଡ ଡେ ଫର୍ କଲ୍‌ଚରାଲ୍‌ ଡିଭର୍ସିଟି ଫର୍‌ ଡାଇଲଗ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ’ ବୋଲି ମଧ୍ୟ କୁହାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସଂସ୍କୃତି ପ୍ରତି ଲୋକଙ୍କୁ ସଚେତନ କରିବା। ଏହି ଦିବସ ଅବସରରେ ପ୍ରତିବର୍ଷ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୁଏ। ଏଥର କିନ୍ତୁ କରୋନା ସବୁକିଛି ବଦଳାଇ ଦେଇଛି। କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ(ଆଇସିସିଆର୍‌) ପକ୍ଷରୁ ବିଶ୍ୱ ସଂସ୍କୃତି ଦିବସ ଅନ୍‌ଲାଇନ୍‌ରେ ପାଳିତ ହୋଇଛି। ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମେମୋରିଆଲ୍‌ ଇଣ୍ଟରନ୍ୟାସନାଲ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ହୋଇଛି। ଏଥିରେ ଇଟାଲୀର ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଆଣ୍ଟୋନିଓ ମୋରାଣ୍ଡି ‘ଆୟୁର୍ବେଦ ଓ ଏହାର ପ୍ରାସଙ୍ଗିକତା’ ଉପରେ ବକ୍ତବ୍ୟ ରଖିଛନ୍ତି। ଆରମ୍ଭରେ ଆଇସିସିଆର୍‌ ସଭାପତି ଡକ୍ଟର ବିନୟ ସହସ୍ରବୁଦେ୍ଧ ସ୍ୱାଗତ ଭାଷଣ ଦେଇଛନ୍ତି। ଅପରାହ୍‌ଣ ୩ ଟାରେ ଆଇସିସିଆର୍‌ ଫେସ୍‌ବୁକ୍‌, ଟ୍ୱିଟର୍‌, ୟୁଟ୍ୟୁବ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଲାଇଭ୍‌ କରିଥିଲା।

ଅନ୍ୟପକ୍ଷରେ କରୋନା ପାଇଁ ସମସ୍ତ ଥିଏଟର ହଲ ବନ୍ଦ ରହିଛି। ଫଳରେ ସଂସ୍କୃତି ଜଗତ କ୍ଷତି ସହିଛି। ଏହି କ୍ଷତିକୁ ପୂରଣ କରିବା ପାଇଁ ସଂସ୍କୃତି ଜଗତ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇ ନେଇଛି। ରାଜ୍ୟ ଓ ଜାତୀୟସ୍ତରରେ ଥିବା ସରକାରୀ ସାଂସ୍କୃତିକ ଅନୁଷ୍ଠାନ ସବୁ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ରାଜ୍ୟ ସଂସ୍କୃତି ବିଭାଗ ତା’ର ସବୁ କାର୍ଯ୍ୟାଳୟକୁ ଡିଜିଟାଲ୍‌ ମୋଡ୍‌ରେ ଚଳାଇବାକୁ ନିଷ୍ପତ୍ତି ନେଇଛି ବୋଲି  ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି । ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସାହିତ୍ୟ ଏକାଡେମୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସଂସ୍କୃତି ମନ୍ତ୍ରାଳୟ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ବିଭିନ୍ନ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ରେ ଆରମ୍ଭ କରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ୱେବ୍‌ଲାଇନ୍‌ ସାହିତ୍ୟମାଳା ଅନ୍‌ଲାଇନ୍‌ ସଂସ୍କୃତି ଦିବସ ପାଳନ କରୁଛି।Odissi Dance

ଅନ୍‌ଲାଇନ୍‌ରେ ପାଳିତ ହୋଇଥିଲା ବିଶ୍ୱ ନୃତ୍ୟ ଦିବସ

ନିକଟରେ ବିଭିନ୍ନ ଅନୁଷ୍ଠାନ ଓ ନୃତ୍ୟଶିଳ୍ପୀମାନେ ସବୁ ନିୟମ ମାନି ନିଜ ନିଜ ଘରେ ରହି ଅନ୍‌ଲାଇନ୍‌ରେ ବିଶ୍ୱ ନୃତ୍ୟ ଦିବସ ପାଳିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିରେ ସୃଜନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଏହି ମାଧ୍ୟମରେ କରାଯାଇଥିଲା। ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରଥମ କରି ଅନ୍‌ଲାଇନ୍‌ ନୃତ୍ୟ ଉତ୍ସବ ଆରମ୍ଭ କରିଛନ୍ତି।

Comment