ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରି ଅଗ୍ରୀମ ପ୍ୟାକେଜ ଘୋଷଣା କରିଛନ୍ତି।
ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାତ୍ୟା ଅମ୍ପନ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକ ପରେ ଓଡ଼ିଶା ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦୀ।
‘‘ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାରେ କ୍ଷତି ଘଟିଛି। ହେଲେ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ କମ୍ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର କ୍ଷୟକ୍ଷତିର ବସ୍ତୃତ ବିବରଣୀ ଦେଇଛନ୍ତି। ଖୁବ୍ଶୀଘ୍ର କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସିବେ। ସେମାନେ ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ। ବିସ୍ତୃତ ରିପୋର୍ଟ ଦେବା ପରେ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକ ସହାୟତା ମିଳିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ବାତ୍ୟା ପରିଚାଳନାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦୀ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ।
ବାତ୍ୟାଞ୍ଚଳରୁ ଫେରି ଭୁବନେଶ୍ୱର ବିମାନ ବନ୍ଦର କନଫରେନ୍ସିଂ ହଲରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ବୁଲିଥିଲେ। ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ମୃତକଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ୫୦ ହଜାର ଟଙ୍କା ଘୋଷଣା କରିଥିଲେ।
ଏହାପରେ ମୋଦୀ ବାୟୂସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଗତବର୍ଷ ପ୍ରଧାନମନ୍ତ୍ରୀ ଫନି ବାତ୍ୟା ପରେ ଓଡ଼ିଶା ଆସିଥିଲେ। ବାତ୍ୟାଞ୍ଚଳ ପରିଦର୍ଶନ କରି ଆଗୁଆ ୧ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।








ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରି ଅଗ୍ରୀମ ପ୍ୟାକେଜ ଘୋଷଣା କରିଛନ୍ତି।








