ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୭୨ ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା
  • ୨୯ ଓ ୩୦ ତାରିଖରେ ହେବ ପରୀକ୍ଷା
  • ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବ
  • ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ନୀତିରେ ସାମିଲ ହେବେ
  • ଅନ୍ୟ ନିଯୋଗ ସହିତ ଚାଲିଛି ଆଲୋଚନା

ଏଥର କମ୍‌ ସେବାୟତଙ୍କୁ ନେଇ ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ ହେବ। ଏଥିପାଇଁ ଗରାବଡ଼ୁ ସେବାୟତଙ୍କର କରୋନା ନମୁନା ପରୀକ୍ଷା କରାଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ନେଇ ସଚେତନତା ବୈଠକ ବସିଥିଲା। ଏହି ବୈଠକରେ କରୋନା ପରୀକ୍ଷା କରିବାକୁ ଗରାବଡୁ ସେବାୟତମାନେ ସହମତି ପ୍ରକାଶ କରିଛନ୍ତି।

ଆସନ୍ତା ୨୯ ଓ ୩୦ ତାରିଖରେ ଗରାବଡୁ ସେବାୟତଙ୍କର କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାୟ ୧୭୨ ସେବାୟତଙ୍କର କରୋନା ପରୀକ୍ଷା କରାଯିବ। ୩ ତାରିଖ ସୁଦ୍ଧା ରିପୋର୍ଟ ମିଳିଯିବ। ୫ ତାରିଖରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାରେ ଏହି ସେବାୟତମାନେ ସାମିଲ ହେବେ।

ଅନ୍ୟ ନିଯୋଗର କରୋନା ପରୀକ୍ଷା ପାଇଁ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ପ୍ରତିନିଧିମାନଙ୍କ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ହେବ।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନନ ଯାତ୍ରା। ଏହି ଦିନ ସ୍ନାନ ବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସ୍ନାନ କରିଥାନ୍ତି। ପରେ ମହାପ୍ରଭୁଙ୍କର ହାତୀ ବେଶ ହୋଇଥାଏ। ଏହାପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ ଏବଂ ସେ ଅଣସର ଘରେ ରହିଥାନ୍ତି। ଅଣସର ଘରେ ଗୁପ୍ତ ନୀତି ଚାଲେ। ପରେ ମହାପ୍ରଭୁ ସୁସ୍ଥ ହୋଇ ଘୋଷ ଯାତ୍ରା କରିଥାନ୍ତି।

ହେଲେ କରୋନା ସଙ୍କଟ ପାଇଁ ଚଳିତ ବର୍ଷ ଏହି ନୀତି କେମିତି ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ୧୦ ନିଯୋଗଙ୍କ ସହିତ ଆଲୋଚନା କରିଥିଲା। କମ୍‌ ସେବାୟତଙ୍କୁ ନେଇ ଏଥର ସ୍ନାନ ଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ କହିଥିଲା। ୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ଶ୍ରୀମନ୍ଦିର ପ୍ରଶାସନ କହିଥିଲା।

ଯେଉଁ ସେବାୟତମାନେ ସ୍ନାନ ଯାତ୍ରାରେ ସାମିଲ ହେବେ ସେମାନଙ୍କର କରୋନା ପରୀକ୍ଷା ହେବ। ରିପୋର୍ଟ ଆସିବା ପରେ ପ୍ରଶାସନ ସେମାନଙ୍କୁ ପାସ୍‌ ଦେବ। ପାସ୍‌ ଦେଖାଇ ଏମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ।

Comment