ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ପେଶାଲ ପ୍ୟାକେଜ ଦାବି କଲେ ଯାତ୍ରା କଳାକାର।

‘‘ଯେଉଁ ସମୟରେ ଲକ୍‌ଡାଉନ୍‌ ହେଲା ସେହି ସମୟରେ ଯାତ୍ରା ପରିବେଷଣ ହୋଇଥାନ୍ତା। ମାଲିକମାନେ ରୋଜଗାର କରିଥାନ୍ତେ। ଆମେ ମଧ୍ୟ ସେଥିରୁ ଦି ପଇସା ପାଇଥାନ୍ତୁ। ହେଲେ ସବୁ କିଛି ଉଜୁଡ଼ିଗଲା। ଲକ୍‌ଡାଉନ୍‌ ଆମ ଭଳି କଳାକାର ଏବଂ ଯାତ୍ରାରେ କାମ କରୁଥିବା କର୍ମଚାରୀଙ୍କୁ ମାରିଦେଲା। ଆମ କଥା ସରକାର ବୁଝନ୍ତୁ’’, ଏମିତି ଗୁହାରି କରିଛନ୍ତି ଯାତ୍ରା କଳାକାର।

କରୋନା ଲକ୍‌ଡାଉନ୍‌ ସବୁ ସେକ୍ଟରକୁ ପ୍ରଭାବିତ କରିଛି। ଏଥିରୁ ଓଡ଼ିଶାର ଯାତ୍ରା ଜଗତ ମଧ୍ୟ ବାଦ୍‌ ପଡ଼ିନି। ଲକ୍‌ଡାଉନ୍‌ ଯୋଗୁଁ ଯାତ୍ରା ପରିବେଷଣ ବନ୍ଦ ହୋଇଯାଇଛି। ଯାତ୍ରା ଉପରେ ନିର୍ଭର କରି ନିଜ ପରିବାର ଚଳାଉଥିବା କଳାକାର ଏବଂ ଟେକ୍ନିସିଆନମାନେ ଅସୁବିଧା ଭୋଗୁଛନ୍ତି। ସରକାରଙ୍କ ପାଖରେ ଗୁହାରି କରିବା ଲାଗି ଯାତ୍ରାର ଆଗଧାଡ଼ିର କଳାକାରମାନେ ଆଜି ଭୁବନେଶ୍ୱରରେ ଏକାଠି ହୋଇଥିଲେ।

ଦୈତାରୀ ପଣ୍ଡା, ବାପି ପଣ୍ଡା, ଦୟା, ପ୍ରଭୃତି କଳାକାରମାନେ ଏକାଠି ହୋଇ ସେମାନଙ୍କ କଥା ସରକାର ବିଚାର କରନ୍ତୁ ବୋଲି ଦାବି କରିଥିଲେ। ଗତକାଲି ଏହି କଳାକାରମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବିପତ୍ର ଦେଇଥିଲେ। ଆଜି ସଂସ୍କୃତିମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କୁ କଳାକାରମାନେ ଭେଟି ସେମାନଙ୍କ ଗୁହାରି ଜଣାଇଛନ୍ତି।

‘‘ଯାତ୍ରାରେ ଏମିତି କର୍ମଚାରୀ ଅଛନ୍ତି ଯେଉଁମାନେ ମାସକୁ ୧୦ ହଜାର ଟଙ୍କା ଭିତରେ ଦରମା ପାଆନ୍ତି। ହେଲେ ଏବେ ଯାତ୍ରା ବନ୍ଦ ଥିବାରୁ ସେମାନେ ଦରମା ପାଉ ନାହାନ୍ତି। ସେମାନଙ୍କ ଭିତରୁ କିଛି ଲୋକ ପରିବା ବେପାର କଲେଣି। ବର୍ଷକୁ ୩୩୦ ଦିନ ସେମାନେ ଯାତ୍ରା ପାର୍ଟି ସହ ବୁଲିଥାନ୍ତି। ସରକାରୀ ଯୋଜନାରୁ ସେମାନେ ବଞ୍ଚିତ। ଏଣୁ ସେମାନେ କେମିତି ବଞ୍ଚିବେ ସରକାର ବ୍ୟବସ୍ଥା କରିବା ଦରକାର’’, କହିଛନ୍ତି ବରିଷ୍ଠ ଯାତ୍ରା କଳାକାର ଦୈତାରି ପଣ୍ଡା।

‘‘ଆଜି ପର୍ଯ୍ୟନ୍ତ ଯାତ୍ରାକୁ ସରକାର କୌଣସି ମାନ୍ୟତା ଦେଲେନି। ଯାତ୍ରା କଳାକାର କେମିତି ବଞ୍ଚୁଛନ୍ତି ତାହା ଜାଣିପାରିଲେ ନାହିଁ। ଯାତ୍ରାକୁ ଅଧିକ ଦର୍ଶକ ଦେଖୁଛନ୍ତି। ହେଲେ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନହେବା ପରିତାପର ବିଷୟ’’, କହିଛନ୍ତି କଳାକାର ଦୟା।

‘‘ଯାତ୍ରା ପ୍ରତି ବର୍ତ୍ତମାନ ଯେଉଁ ବିପଦ ଦେଖାଦେଇଛି ତାହା ପୂର୍ବରୁ କେବେ ଦେଖାଦେଇ ନଥିଲା। ବର୍ତ୍ତମାନ କଳାକାର ଓ ଯାତ୍ରା କର୍ମଚାରୀ ଖାଇବାକୁ ପାଉ ନାହାନ୍ତି। ସେମାନଙ୍କ ଦରକାର ବ୍ୟବସ୍ଥା ନକଲେ କଳାକାର ଓ କର୍ମଚାରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ’’, କହିଛନ୍ତି ଯାତ୍ରା କଳାକାର ବାପି ପଣ୍ଡା।

ଗତ ମାର୍ଚ୍ଚ ୧୫ ତାରିଖରେ ଶେଷ ଯାତ୍ରା ପରିବେଷଣ ହୋଇଥିଲା। ଏହାପରେ ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ଯାତ୍ରା ପୂରା ବନ୍ଦ ହୋଇଯାଇଛି। ଓଡ଼ିଶାରେ ୨୦ରୁ ୨୫ଟି ଯାତ୍ରା ପାର୍ଟି ରହିଛନ୍ତି। ପ୍ରାୟ ୧୦ ହଜାରରୁ ଅଧିକ କଳାକାର ଏବଂ କର୍ମଚାର ଯାତ୍ରା ଉପରେ ନିର୍ଭର କରି ବଞ୍ଚନ୍ତି।

Comment