ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି।

ମାସିକ ୠତୁସ୍ରାବ ପ୍ରତ୍ୟେକ ମହିଳା ପାଇଁ ଏକ କଠିନ ସମୟ। ଏହି ସମୟରେ ଶରୀରରୁ ଅଶୁଦ୍ଧ ରକ୍ତସ୍ରାବ ହୋଇଥାଏ। ତେଣୁ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସଠିକ୍ ଖାଦ୍ୟ ସେବନ କରିବା ନିହାତି ଜରୁରୀ। ନଚେତ୍ ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇପାରେ। ମାସିକ ୠତୁଚକ୍ର ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯେପରିକି,

– ପ୍ରତି ୪ରୁ ୫ ଘଣ୍ଟା ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳାନ୍ତୁ। ନଚେତ୍ ୟୁରିନ୍ ଇନ୍ଫେକ୍ସନ୍, ଗୁପ୍ତାଙ୍ଗରେ କୁଣ୍ଡିଆ ହେବା, ଜଳିବା ପୋଡ଼ିବା ଭଳି ସମସ୍ୟା ହୁଏ।

ସାନିଟାରି ପ୍ୟାଡ୍ ବଦଳାଇବା ପୂର୍ବରୁ ଗୁପ୍ତାଙ୍ଗକୁ ସଫା କରନ୍ତୁ। ପୁରୁଣା ପ୍ୟାଡରେ ପ୍ରବାହିତ ରକ୍ତ ଗୁପ୍ତାଙ୍ଗରେ ଲାଗି ରହିଲେ ସଂକ୍ରମଣ ହୁଏ।

–  ସାବୁନ କିମ୍ବା ଅନ୍ୟ କୌଣସି  ଭେଜିନାଲ୍ ହାଇଜିନ୍ ପ୍ରୋଡକ୍ଟ୍ ବ୍ୟବହାର କରନ୍ତୁ ନାହିଁ। କ୍ଲିନ୍ ଆଣ୍ଡ୍ କ୍ଲିୟର୍, ଭି ଓ୍ୱାସ୍ ତଥା ସାବୁନ ଏହି ସମୟରେ ଗୁପ୍ତାଙ୍ଗରେ ସଂକ୍ରମଣର କାରଣ ହୋଇପାରେ। ଉଷୁମ ପାଣି କରି ଗୁପ୍ତାଙ୍ଗ ସଫା କରନ୍ତୁ।

– ଗୋଟିଏ ଥରରେ ଦୁଇଟି ସାନିଟାରି ପ୍ୟାଡ୍ ବ୍ୟବହାର କରନ୍ତୁ ନାହିଁ। ଅତ୍ୟଧିକ ରକ୍ତସ୍ରାବକୁ ରୋକିବା ପାଇଁ ଏକାଥରକେ ଦୁଇଟି ପ୍ୟାଡ୍ ବ୍ୟବହାର କଲେ ଇନଫେକସନ୍‌ର ଆଶଙ୍କା ରହିଛି।

–  ଏହି ସମୟରେ ଅନ୍ତଃବସ୍ତ୍ର ପ୍ରତି ବି ଧ୍ୟାନ ଦେବାକୁ ପଡ଼େ। ସାନିଟାରି ପ୍ୟାଡ୍ ବଦଳାଇବା ଯେତେ ଜରୁରି ସଫା ଓ କଟନ ଅନ୍ତଃବସ୍ତ୍ର ବ୍ୟବହାର ବି ସେତେ ଆବଶ୍ୟକ। ଅଥବା ସଂକ୍ରମଣ ତଥା ରାସେସ୍ ହୁଏ।

– ମାସିକ ୠତୁଚକ୍ର ପାଖେଇବା ସମୟରେ ତଥା ସେହି ସମୟରେ ବାହାରକୁ ଗଲାବେଳେ ଗୋଟିଏ ସଫା ପାଉଚ୍ କିମ୍ବା ପେପର୍ ବ୍ୟାଗରେ ଏକ୍ସଟ୍ରା ସାନିଟାରି ପ୍ୟାଡ୍, ନରମ ଟାଓ୍ୱାଲ୍, ଟିସ୍ୟୁ ପେପର୍, ହ୍ୟାଣ୍ଡ୍ ସାନିଟାଇଜର୍, କିଛି ପୋଷକ ଖାଦ୍ୟ, ପାଣି ବୋତଲ ସବୁବେଳେ ରଖନ୍ତୁ। ଏହି ସମୟରେ ଉଷୁମ ପାଣି ପିଇଲେ ଭଲ। ଅତ୍ୟଧିକ ତେଲମସଲା ଖାଦ୍ୟ ଖାଆନ୍ତୁ ନାହିଁ।

– ମାସିକ ୠତୁଚକ୍ର ସମୟରେ ଯଥାସମ୍ଭବ ବିଶ୍ରାମ କରନ୍ତୁ। ବେଶୀ ଚଲାବୁଲା କରିବା, ଦୌଡ଼ିବା, ସାଇକେଲ ଚଳାଇବା ମୁଖ୍ୟତଃ ନାଚିବା ବା ଡିଆଁକୁଦା କରିବା ଗୁପ୍ତାଙ୍ଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର କାରଣ ହୋଇପାରେ। ପରେ ଗର୍ଭଧାରଣ ସମୟରେ ଏହାର ବହୁତ ଖରାପ ବ୍ରଭାବ ପଡ଼େ।

Comment