ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲ୍‌ ଲାଇଫରେ ଭିଲିଆନ୍‌ ଏବେ ରିୟଲ ଲାଇଫର ହିରୋ ପାଲଟିଛନ୍ତି। ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଫସିଥିବା ପ୍ରବାସୀଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବସ୍‌, ଟ୍ରେନ ଯୋଗେ ପ୍ରବାସୀଙ୍କୁ ଘରକୁ ପଠାଉଛନ୍ତି ସୋନୁ। ଏହା ମଧ୍ୟରେ କେରଳରେ ଫସିଥିବା ଓଡ଼ିଆ ଝିଅମାନଙ୍କୁ ମଧ୍ୟ ସେ ସାହାଯ୍ୟ କରିଛନ୍ତି। ସେଠାରେ ଫସିଥିବା ୧୬୯ ଜଣ ଝିଅଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରାଇଛନ୍ତି ଏହି ବଲିଉଡ୍‌ ଅଭିନେତା।

କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏହି ଝିଅମାନେ କେରଳର ଏକ କମ୍ପାନିରେ କାମ କରୁଥିଲେ। ହେଲେ ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି କମ୍ପାନି ବନ୍ଦ ରହିବା ସହ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ। ଏନେଇ ପ୍ରଥମେ ସେମାନେ ଏକ ଭିଡିଓ ଜାରି କରି ଓଡ଼ିଶା ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ଜଣେ ଅଫିସର ଏନେଇ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଯୋଗଯୋଗ କରିଥିଲେ।

ଅଭିନେତା ସୋନୁ ସୁଦଙ୍କ ସହଯୋଗରେ ଏହି ଝିଅମାନଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଣାଯାଇଛି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୋନୁ ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ହେଲ୍‌ପ ଲାଇନ ନମ୍ଵର ଜାରି କରିଛନ୍ତି। ଏହି ନମ୍ଵରରେ ପ୍ରବାସୀମାନେ ସେମାନଙ୍କର ସୂଚନା ଦେଲେ ସୋନୁ ସେମାନଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି। ସୋନୁଙ୍କ ଏହି ମହାନ କାମ ପାଇଁ ବର୍ତ୍ତମାନ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Comment