ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଦୁଇ ଥର ବିବାହ କରିଛନ୍ତି। ହେଲେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ଏକାଧିକ ଥର ବାହା ହୋଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ସଞ୍ଜୟ ଦତ୍ତ

ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ତିନିଥର ବିବାହ କରିଛନ୍ତି। ସେ ୧୯୮୭ରେ ସର୍ବପ୍ରଥମେ ସେ ସମୟର ଜଣାଶୁଣା ନାୟିକା ରିଚା ଶର୍ମାଙ୍କୁ ବିବାହ କରିଥିଲେ। ସଞ୍ଜୟ ଓ ରିଚାଙ୍କର ଏକ ଝିଅ ତ୍ରିଶାଳା ଅଛନ୍ତି।

୧୯୯୬ରେ ରିଚାଙ୍କର ବ୍ରେନ୍‌ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଥିଲା। ତା’ ପରେ ୧୯୯୮ ମସିହାରେ ସଞ୍ଜୟ ଦତ୍ତ ରିଚା ପିଲ୍ଲାଇଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୫ରେ ଉଭୟଙ୍କର ଡିଭୋର୍ସ ହୋଇଥିଲା। ଏହା ପରେ ସଞ୍ଜୁବାବା ମାନ୍ୟତାଙ୍କୁ ବିବାହ କରିଥିଲେ। ମାନ୍ୟତା ହେଉଛନ୍ତି ସଞ୍ଜୟଙ୍କର ତୃତୀୟ ପତ୍ନୀ।

କିଶୋର କୁମାର

ବଲିଉଡର ବହୁମୁଖୀ ପ୍ରତିଭାସମ୍ପନ୍ନ କଳାକାର ହେଲେ କିଶୋର କୁମାର। ସେ ଏକାଧାରରେ ଜଣେ ଅଭିନେତା-କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ।

ଏ କଥା କାହାରିକୁ ଅଛପା ନାହିଁ ଯେ କିଶୋର କୁମାର ଚାରି ଚାରି ଥର ବିବାହ କରିଥିଲେ। ମାତ୍ର ୨୧ ବର୍ଷ ବୟସରେ ସେ ବଙ୍ଗଳା ସିନେମାର ଜଣାଶୁଣା ଅଭିନେତ୍ରୀ ତଥା ଗାୟିକା ରୁମା ଗୁହା ଠାକୁରଙ୍କୁ ବିବାହ କରିଥିଲେ। ଉଭୟଙ୍କର ପୁଅ ହେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅମିତ୍‌ କୁମାର।

ବିବାହର ଆଠବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ତା’ପରେ ୧୯୬୦ରେ ଖ୍ୟାତନାମା ଗାୟକ କିଶୋର କୁମାର ସୁନ୍ଦରୀ ନାୟିକା ମଧୁବାଲାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଉଭୟଙ୍କର ବାହାଘର ନ୍ୟାୟାଳୟରେ ହୋଇଥିଲା। ୧୯୬୯ ମସିହାରେ ମଧୁବାଲାଙ୍କର ଦେହାନ୍ତ ହୋଇଥିଲା। ଏହାର ସାତବର୍ଷ ପରେ ଅର୍ଥାତ୍ ୧୯୭୬ରେ କିଶୋର କୁମାର ଆଉ ଜଣେ ଜଣାଶୁଣା ନାୟିକା ଯୋଗିତା ବାଲୀଙ୍କୁ ବାହା ହୋଇଥିଲେ। କିନ୍ତୁ ଦୁଇବର୍ଷ ପରେ ଯୋଗିତା କିଶୋରଙ୍କୁ ଛାଡ଼ି ମିଥୁନ ଚକ୍ରବର୍ତ୍ତୀଙ୍କୁ ବାହା ହୋଇଗଲେ। ଏଣେ କିଶୋର କୁମାର ମଧ୍ୟ ୧୯୮୦ରେ ସୁନ୍ଦରୀ ନାୟିକା ଲୀନା ଚନ୍ଦ୍ରାଭରକରଙ୍କୁ ବିବାହ କରିଥିଲେ।

କବୀର ବେଦୀ

କବୀର ବେଦୀ ହେଉଛନ୍ତି ଆଉ ଜଣେ ବଲିଉଡ ସେଲିବ୍ରିଟି ଯିଏକି ଚାରିଥର ବିବାହ କରିଛନ୍ତି। ସେ ୭୦ ବର୍ଷ ବୟସରେ ଚତୁର୍ଥ ବିବାହ କରିଥିଲେ। କବୀର ୧୯୬୯ ମସିହାରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପ୍ରତିମା ଦେବୀଙ୍କୁ ପ୍ରଥମ ବିବାହ କରିଥିଲେ। କବୀର-ପ୍ରତିମାଙ୍କର ଝିଅ ପୂଜା ବେଦୀ ଓ ପୁଅ ସିଦ୍ଧାର୍ଥ ଅଛନ୍ତି। ୧୯୭୩ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲେ। ତା’ପରେ କବୀର ଜଣେ ବ୍ରିଟିଶ୍‌ ଫ୍ୟାସନ୍‌ ଡିଜାଇନର ସୁସୈନ୍‌ ହଂଫ୍ରେସ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଉଭୟଙ୍କର ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା।

କବୀର ୧୯୯୦ରେ ଟେଲିଭିଜନ୍‌ ବେତାରର ଜଣାଶୁଣା ଉପସ୍ଥାପିତା ନିକିଙ୍କୁ ବାହା ହୋଇଥିଲେ। ୨୦୦୫ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ତା’ପରେ କବୀର ବେଦୀ ବ୍ରିଟିଶ ଅଭିନେତ୍ରୀ ତଥା ମଡେଲ୍‌ ପରବିନ ଦୋସାଂଜଙ୍କୁ ଚତୁର୍ଥ ବିବାହ କରିଛନ୍ତି। ପରବିନ୍‌ ବୟସରେ କବୀରଙ୍କ ଝିଅ ପୂଜା ବେଦୀଙ୍କଠାରୁ ବୟସରେ ୪ ବର୍ଷ ସାନ।

କରଣ ସିଂହଗ୍ରୋଭର

ଅଭିନେତା ତଥା ମଡେଲ କରଣ ସିଂହ ଗ୍ରୋଭର୍‌ ବଲିଉଡର ହଟ୍‌ ହିରୋଇନ୍‌ ବିପାସା ବାସୁଙ୍କ ସ୍ୱାମୀ। ହେଲେ ବିପାସା ତାଙ୍କର ପ୍ରଥମ ପତ୍ନୀ ନୁହଁନ୍ତି। ସେ ହେଉଛନ୍ତି ତାଙ୍କ ତୃତୀୟ ପତ୍ନୀ। ଆଗରୁ କରଣ ସିଂହ ଗ୍ରୋଭର ପ୍ରଥମେ ଟେଲି ନାୟିକା ଜେନିଫର୍‌ ଭିନସେଣ୍ଟ୍ ଓ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସହ କରଣଙ୍କର ଡିଭୋର୍ସ ହୋଇଯାଇଥିଲା।

Comment