ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଅପରାହ୍‌ଣରେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି କେରଳରେ ଫସିରହିଥିବା ୧୪୭ ଜଣ ଯୁବତୀ ଓ ୨୨ ଜଣ ଯୁବକ। ଏକ ସ୍ଵତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଓଡିଶାରେ ପହଞ୍ଚାଇଛନ୍ତି। ତେଣୁ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଯୁବତୀମାନେ। ସୋନୁଙ୍କ ଯୋଗୁଁ ସେମାନେ ନିଜ ଜନ୍ମ ମାଟିକୁ ଫେରିଥିବା କହିଛନ୍ତି।

ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁଏକ ବସ୍‌ ଯୋଗେ ଏମାନଙ୍କୁ କେନ୍ଦ୍ରାପଡା ଅଣାଯାଇଛି। ଏହାପରେ ଥର୍ମାଲ ସ୍କ୍ରିନିଂ ପରେ ଯୁବତୀମାନଙ୍କୁ କ୍ଵାରେଣ୍ଟିନ୍‌ରେ ରଖାଯାଇଛି।

କରୋନା ଲକ୍‌ଡାଉନ୍‌ ଯୋଗୁଁ କେରଳର ଏର୍ଣ୍ଣାକୁଲମଠାରେ ଏହି ଯୁବତୀମାନେ ଫସି ରହିଥିଲେ। ଏମାନେ କାମକରୁଥିବା ଏକ ଡ୍ରେସ କମ୍ପାନି ବନ୍ଦ ହୋଇଯିବା ଯୋଗୁଁ ଏମାନଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା। କିଛି ଦିନ ଭୋକ ଉପାସରେ ରହିବା ପରେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଏହି ଯୁବତୀ ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।

ପରେ ଅଂଶୁମାନ ଏହି ଯୁବତୀମାନଙ୍କୁ ଉଦ୍ଧାର କରିବାକୁ ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନଜରକୁ ଆଣିଥିଲେ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଅଭିନେତା ସୋନୁ ସୁଦ୍ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚରେ ଏକ ସ୍ଵତନ୍ତ୍ର ଫ୍ଲାଇଟ ଯୋଗେ ଏହି ଯୁବତୀମାନଙ୍କୁ କେରଳରୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିଛନ୍ତି ବୋଲି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ସୂଚନା ଦେଇଛନ୍ତି।

ଏହି କେରଳ ଫେରନ୍ତା ୧୪୭ ଜଣ ଯୁବତୀଙ୍କୁ କେନ୍ଦ୍ରାପଡା ସହରରେ ଥିବା ଏକ ମହିଳା ମହାବିଦ୍ୟାଳୟରେ କ୍ଵାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ୨୨ ଜଣ ଯୁବକଙ୍କୁ କେନ୍ଦ୍ରାପଡା ସହରର ଏକ ହାଇସ୍କୁଲ କ୍ଵାରେଣ୍ଟିନ ସେଣ୍ଟରରେ ରଖାଯାଇଛି। କ୍ଵାରେଣ୍ଟିନ ଅବଧି ଶେଷ ହେବାପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

LEAVE A REPLY

Please enter your comment!
Please enter your name here