ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେରଳରେ ଫସିଥିବା ଓଡ଼ିଆ ଯୁବତୀଙ୍କୁ ଓଡ଼ିଶା ପଠାଇଥିବା ଯୋଗୁଁ ତାଙ୍କୁ ଧନ୍ୟବାଦ ମଧ୍ୟ କହିଛନ୍ତି ନବୀନ। ଟୁଇଟ କରି ନବୀନ ପଟ୍ଟନାୟକ ସୋନୁଙ୍କୁ ପ୍ରଶଂସା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ସାରା ଓଡ଼ିଶାରେ ବର୍ତ୍ତମାନ ସୋନୁଙ୍କୁ ପ୍ରଶଂସା କରାଯାଉଛି।

ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଲକ୍‌ଡାଉନ୍‌ ଯୋଗୁଁ କେରଳରେ ଫସିଥିବା ଓଡ଼ିଆ ଝିଅମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇଥିବାରୁ ବଲିଉଡ୍‌ ଅବିନେତା ସୋନୁ ସୁଦ୍‌ଙ୍କୁ ଧନ୍ୟବାଦ। ତାଙ୍କର ଏହି କାମ ପ୍ରଶଂସନୀୟ।”

ଓଡ଼ିଶାର ୧୭୭ ଜଣ ଯୁବତୀ ଲକ୍‌ଡାଉନ୍‌ ଯୋଗୁଁ କେରଳରେ ଫସି ରହିଥିଲେ। ସେମାନେ ଏକ କପଡ଼ା କମ୍ପାନିରେ କାମ କରୁଥିଲେ। କମ୍ପାନି ବନ୍ଦ ହେବା ପରେ ଘରକୁ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆସି ପାରିନଥିଲେ। ପରେ ସେମାନେ ସୋନୁ ସୁଦ୍‌ଙ୍କୁ ସୂଚନା ଦେବା ପରେ ସୋନୁ ତାଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରାଇଥିଲେ।

ପରେ ଯୁବତୀମାନେ ଭୁବନେଶ୍ଵର ବିମାନ ବନ୍ଦରରେ ଓହ୍ଲାଇ ସ୍ଵତନ୍ତ୍ର ବସ୍‌ ଯୋଗେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି।

ଲକ୍‌ଡାଉନ୍‌ ବେଳେ ଫସି ରହିଥିବା ପ୍ରବାସୀମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି ସୋନୁ। ପୂର୍ବରୁ ମଧ୍ୟ ଅନେକ ପ୍ରବାସୀମାନଙ୍କୁ ବସ୍‌ ଯୋଗେ ନିଜ ନିଜ ରାଜ୍ୟକୁ ଫେରାଇଛନ୍ତି। ତାଙ୍କର ଏହି କାମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Comment