ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

କରୋନା ମହାମାରୀ ସଙ୍କଟ ମଧ୍ୟରେ ଏଥର ବିନା କୌଣସି ଭକ୍ତରେ ହେବ ମହାପ୍ରଭୁଙ୍କର ସ୍ନାନଯାତ୍ରା ଓ ରଥଯାତ୍ରା। କେବଳ ମହାପ୍ରଭୁଙ୍କ ସେବକ, ପୋଲିସ ଅଧିକାରୀ, ସରକାରୀ କର୍ମଚାରୀଙ୍କୁ ନେଇ ଏଥର ମହାପ୍ରଭୁଙ୍କ ଯାତ୍ରା ଆୟୋଜନ କରାଯିବ। ଭକ୍ତମାନେ ନିଜର ଭଗବାନଙ୍କୁ ଦର୍ଶନ କରିବାକୁ ପୁରୀ ବଡ଼ଦାଣ୍ଡକୁ ଆସିପାରିବେନି। ଶନିବାର ଶ୍ରମନ୍ଦିର ପରିଚାଳନା ବୈଠକ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଶନିବାର ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନ କମିଟିର ବୈଠକ ବସିଥିଲା। ଏଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ଆରମ୍ଭ କରି ରଥଯାତ୍ରାକୁ କିଭଳି ଭାବେ ଆୟୋଜନ କରାଯିବ ସେନେଇ ଆଲୋଚନା କରାଯାଇଛି।ବିନା ଭକ୍ତରେ ହେବ ସ୍ନାନଯାତ୍ରା

ଗଣମାଧ୍ୟମକୁ ଉତ୍ତର ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, କରୋନା ମହାସଙ୍କଟ ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ କରାଯିବ। ହେଲେ ଏଥିରେ କେବଳ ମହାପ୍ରଭୁଙ୍କ ସେବକମାନେ ଭାଗ ନେଇପାରିବେ। କୌଣସି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ଛଡ଼ାଯିବ ନାହିଁ। ଯଦି ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଛଡ଼ାଯିବ ତେବେ ସେମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ତେଣୁ ଯାତ୍ରା ସମୟରେ ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଆସିବାକୁ ବାରଣ କରାଯିବ। ଏଥିସହ ସ୍ନାନଯାତ୍ରା ମଧ୍ୟ ସୀମିତ ସେବକଙ୍କୁ ନେଇ କରାଯିବ ବୋଲି ବୋଲି ଗଜପତି କହିଛନ୍ତି।

ସିଧାପ୍ରସାରଣରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

କରୋନା ପାଇଁ ଭକ୍ତମାନେ ଏଥର ମହାପ୍ରଭୁଙ୍କୁ ସିଧାସଳଖ ଦର୍ଶନ ନକଲେ ମଧ୍ୟ ସିଧାପ୍ରସାରଣ ଜରିଆରେ ଦର୍ଶନ କରିପାରିବେ। ଏଥିପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ପୂର୍ବଭଳି ସମସ୍ତ ଟିଭି ଚ୍ୟାନେଲ୍ ଆଉ ପୁରୀ ଯାଇ ସିଧାପ୍ରସାରଣ କରିବେ ନାହିଁ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମହାପ୍ରଭୁଙ୍କ ଯାତ୍ରାର ସିଧାପ୍ରସାରଣ କରିବାର ଦାୟିତ୍ୱ ନେବ। ତାଙ୍କଠାରୁ ହିଁ ଅନ୍ୟ ଚ୍ୟାନେଲମାନେ ସିଧାପ୍ରସାରଣ କରିପାରିବେ। ଏହାଦ୍ୱାରା ପ୍ରତ୍ୟେକ ଭକ୍ତ ଘରେ ବସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।କେବଳ ସେବାୟତଙ୍କୁ ନେଇ ରଥଯାତ୍ରା ସମ୍ଭବପର

ରଥଯାତ୍ରାକୁ ନେଇ ମଧ୍ୟ ଗଜପତି ମହାରାଜ ଏକ ବଡ଼ ସୂଚନା ଦେଇଛନ୍ତି। କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। କେନ୍ଦ୍ର ସରକାର ମନ୍ଦିର ବାହାରେ କୌଣସି ଦେବନୀତି କରିବାକୁ ଅନୁମତି ପ୍ରଦାନ କରିନାହାନ୍ତି। ଏଭଳି ସମୟରେ ଏତେ ଲୋକଙ୍କ ସମାଗମ ସହ ରଥଯାତ୍ରା ହେବ ନାହିଁ ସେ ନେଇ ସରକାର ହିଁ ନିଷ୍ପତ୍ତି ନେବେ। ତେବେ ଯଦି ସରକାର ଅନୁମତି ପ୍ରଦାନ କରନ୍ତି ତେବେ କେବଳ ସେବାୟତ, ପୋଲିସ୍ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନେଇ ରଥଯାତ୍ରା ଆୟୋଜନ କରାଯାଇପାରିବ। ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି। ଲୋକମାନେ କେବଳ ଘରେ ବସି ସିଧାସଳଖ ଟେଲିଭିଜନ ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି।ଭକ୍ତମାନଙ୍କୁ ବଡ଼ଦାଣ୍ଡ ମନା

ମହାପ୍ରଭୁଙ୍କ ସ୍ନାନ ଯାତ୍ରାଠାରୁ ଆରମ୍ଭ କରି ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ସମୟରେ ଭକ୍ତମାନଙ୍କୁ ବଡ଼ଦାଣ୍ଡ ଭିତରକୁ ବାରଣ କରାଯିବ। ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଭଳି ଅନୁରୋଧ କରିଛି। ଗଜପତି ମହାରାଜାଙ୍କ କହିବା ମୁତାବକ ଯଦି ସରକାର ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ ମଧ୍ୟ ଭକ୍ତମାନଙ୍କୁ ଏଥିରେ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ। ଏଥର ରଥଯାତ୍ରାରେ ବଡ଼ଦାଣ୍ଡ ଭକ୍ତଶୂନ୍ୟ ରହିବ ବୋଲି କୁହାଯାଇଛି।

ଅନ୍ୟ ମନ୍ଦିରରେ ରଥଯାତ୍ରା ପାଇଁ ସରକାର ନିଷ୍ପତ୍ତି ନେବେ

ଏହି ସମୟରେ ଗଜପିତ ମହାରାଜା ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ଗଜପତି ମହାରାଜା କହିଛନ୍ତି ରଥଯାତ୍ରା ସମ୍ପର୍କରେ ବର୍ତ୍ତମାନ ସରକାର ଯାହା ନିଷ୍ପତ୍ତି ନେବେ ତାହା କେବଳ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରଯୁଜ୍ୟ ହେବ। ଅନ୍ୟ ମନ୍ଦିରମାନଙ୍କରେ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେ ନେଇ ସରକାର ଅନ୍ୟ ନିଷ୍ପତ୍ତି ନେବେ। ପୁରୀରେ ଯଦି ବି ରଥଯାତ୍ରା ପାଇଁ ଅନୁମତି ମିଳେ ତେବେ ଅନ୍ୟ ମନ୍ଦିରମାନେ ରଥଯାତ୍ରା ଆୟୋଜନ କରିବା ପାଇଁ ଅନୁମତି ପାଇବା ଆବଶ୍ୟକ ବୋଲି କୁହାଯାଇଛି।

Comment