ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିନା ଭକ୍ତରେ ଏଥର ରଥଯାତ୍ରା ଆୟୋଜନ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଦେଲା ପ୍ରସ୍ତାବ।

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସ୍ପଷ୍ଟ ହୋଇଯାଇଛି। ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ସୀମିତ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ହିଁ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି।

‘‘ରଥଯାତ୍ରା ଦିନ ବଡ଼ଦାଣ୍ଡରେ ସମବେତ ହୋଇଥିବା କେବଳ ୧୦ ଲକ୍ଷ ଲୋକଙ୍କ ପାଇଁ ମହାପ୍ରଭୁ ରଥରେ ବିଜେ କରନ୍ତି ନାହିଁ। ମହାପ୍ରଭୁ ସମସ୍ତଙ୍କର। ବିଶ୍ୱର କୋଣ ଅନୁକୋଣରେ ଥିବା ଲୋକଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବର୍ଷକେ ଥର ରଥ ଉପରକୁ ଆସିଥାନ୍ତି। ସାରା ବିଶ୍ୱବାସୀ ରଥଯାତ୍ରା ଦେଖିବା ଲାଗି ପୁରୀକୁ ଆସନ୍ତି ନାହିଁ। ବହୁତ ଲୋକ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଥାନ୍ତି। ଏଥର କୋଭିଡ୍‌ କଟକଣା ଥିବାରୁ ସମସ୍ତ ଭକ୍ତ ଘରେ ବସି ମହାପ୍ରଭୁଙ୍କ ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। ଏଥିପାଇଁ ସରକାର ବ୍ୟବସ୍ଥା କରିବା ଦରକାର’’, କହିଛନ୍ତି ଗଜପତି ମହାରାଜା।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। କମ୍‌ ସେବାୟତରେ ଏହି ଯାତ୍ରା ଆୟୋଜନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି। ଏଥିପାଇଁ ଦଇତାପତି ଏବଂ ଗରାବଡୁ ସେବାୟତଙ୍କର କୋଭିଡ୍ ପରୀକ୍ଷା କରାଯାଇଛି। ବିନା ଭକ୍ତରେ ସ୍ନାନଯାତ୍ରା ଆୟୋଜନ କରାଯିବ। ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆଜି ଭୁବନେଶ୍ୱରରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ସ୍ନାନ ଯାତ୍ରା ସହ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବିନା ଭକ୍ତରେ ଏବଂ କୋଭିଡ୍‌ କଟକଣା ଭିତରେ ବିଧି ରକ୍ଷା ପାଇଁ ରଥଯାତ୍ରା ଆୟୋଜନ କରିବାକୁ ଶ୍ରୀମନ୍ଦିରି ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।

‘‘ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ଭକ୍ତମାନଙ୍କୁ ବଡ଼ଦାଣ୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆ ନଯାଉ। ଏପରିକି ଗୁଣିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କେହି କରିପାରିବେ ନାହିଁ। ଏମିତି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରେ ଶ୍ରୀମନ୍ଦିର ପ୍ରଶାସନ ରଖିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି। ଦିନକ ପରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଉପରେ ନୂଆ କଟକଣା ଜାରି କରିବେ। ଧାର୍ମିକ ସ୍ଥଳ ଉପରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ନଜର ରହିଛି। ନୂଆ ନିୟମ ଅନୁସାରେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାହାକୁ ପାଳନ କରିବୁ’’, କହିଛନ୍ତି ଗଜପତି ମହାରାଜା।

Comment