ଓଡ଼ିଶାଲାଇଭ୍ବ୍ୟୁରୋ

ଗତ ୩ ଦିନ ହେଲା ବିକ୍ଷୋଭ ନିଆଁରେ ଆମେରିକା ଜଳୁଛି।

ବିଶ୍ଵର କ୍ଷମତାଶାଳୀ ରାଷ୍ଟ୍ର ଆମେରିକାରେ ଏବେ ନିଆଁ ଲାଗିଛି। ଏହି ନିଆଁ ଗତ ତିନି ଦିନ ହେଲା କୁହୁଳୁଛି। ବର୍ଣ୍ଣ ବୈଷମ୍ୟ ଭେଦଭାବକୁ ନେଇ ଯେଉଁ ନିଆଁ ଜଳୁଛି ତାହା ଏବେ ସହରରୁ ସହରକୁ ବ୍ୟାପି ଚାଲିଛି। ଗୋଟିଏପଟେ କରୋନା ସଙ୍କଟ ଆମେରିକାର ସ୍ଥିତିକୁ ବେହାଲ କରିଥିବା ବେଳେ ଅନ୍ୟପଟେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଆମେରିକାର ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଆମେରିକାର ମିନିସୋଟା ରାଜ୍ୟର ମିନିପଲିସ ଅଞ୍ଚଳରେ ସୁରକ୍ଷା କର୍ମୀ ଯେଉଁ ବର୍ବର କାଣ୍ଡ କଲେ ତାହା ଏବେ ଉଗ୍ର ରୂପ ଧାରଣ କରିଛି।

ମୁଣ୍ଡ ନୁଆଁଇ ପୋଲିସ ଜନତାଙ୍କୁ କ୍ଷମା ମାଗିଥିଲେ ବି ତାତି ଥମିନି। ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ଏପରିକି ହ୍ୱାଇଟ୍‌ ହାଉସକୁ ଟେକା ପଥର ମାଡ଼ କରିବାକୁ ପଛାଇ ନାହାନ୍ତି।

କାହିଁକି ଘଟିଲା ବର୍ବରକାଣ୍ଡ?

ମେ’ ୨୫ ତାରିଖରେ ମିନିପଲିସ୍‌ ଅଞ୍ଚଳରେ ଜଣେ ବ୍ୟକ୍ତି ୨୦ ଡଲାର ନୋଟ୍‌ ଦେଇ ସିଗାରେଟ୍‌ କିଣିଥିଲେ। ହେଲେ ଏହି ନୋଟ୍‌ ନକଲି ଥିଲା। ଏ ସମ୍ପର୍କରେ ପୋଲିସ ଖବରପାଇ ସଂପୃକ୍ତ ଅଞ୍ଚଳରେ ପହଞ୍ଚିଥିଲା। ନକଲି ନୋଟ୍‌ ଦେଇ ସିଗାରେଟ୍‌ କିଣିଥିବା ବ୍ୟକ୍ତିଙ୍କୁ କାବୁ କରିଥିଲା। ତାଙ୍କ ନାଁ ଥିଲା ଜର୍ଜ ଫ୍ଲୋଏଡ୍‌।

ପୋଲିସ ସିଧା ତାଙ୍କ ହାତରେ ହ୍ୟାଣ୍ଡକପ୍‌ ପକାଇ ଥାନାକୁ ନେଇ ଆସିଥିଲା। ହ୍ୟାଣ୍ଡକପ୍‌ ପକାଇବାକୁ ବିରୋଧ କରିଥିଲେ ଫ୍ଲୋଏଡ୍‌। ହେଲେ ପୋଲିସ ଶୁଣି ନଥିଲା। ସିଧା ଥାନା ହାଜତରେ ଫ୍ଲୋଏଡଙ୍କୁ ପୂରାଇ ଦେଇଥିଲା।

ପୋଲିସ ହେପାଜତରେ ଥିବା ଫ୍ଲୋଏଡ୍‌ଙ୍କ ପ୍ରତି ପୋଲିସ ବର୍ବରତା ଆଚରଣ କରିଥିଲା। ରାସ୍ତା ଉପରେ ଗୋଟିଏ କାର୍‌ ପାଖରେ ଜଣେ ପୋଲିସ କର୍ମଚାରୀ ଫ୍ଲୋଏଡ୍‌ଙ୍କ ଗଳାକୁ ଆଣ୍ଠୁରେ ମାଡ଼ି ବସିଥିଲେ। ଫଳରେ ଫ୍ଲୋଏଡ୍‌ ଅଣନିଶ୍ୱାସୀ ହୋଇଯାଇଥିଲେ। ଛାଡ଼ିଦିଅ ଛାଡ଼ି ଦିଅ କହି ଚିତ୍କାର କରିଥିଲେ। ହେଲେ ପୋଲିସ କର୍ମଚାରୀ ଜଣକ ଶୁଣି ନଥିଲେ। ପ୍ରାୟ ୮ ମିନିଟ୍‌ ଧରି ପୋଲିସ ଜଣକ ଫ୍ଲୋଏଡଙ୍କ ଗଳା ଚିପି ଧରିବାରୁ ସେ ପ୍ରାଣ ହରାଇଥିଲେ।

ବିଚ୍‌ ରାସ୍ତା ଉପରେ ଏଭଳି ବର୍ବରକାଣ୍ଡ ଘଟୁଥିବାରୁ ସାଧାରଣ ଲୋକ ପ୍ରତିବାଦ କରିଥିଲେ। ହେଲେ ପୋଲିସ ଏଥିରେ ବାଧା ଦେଇଥିଲା। ଯେଉଁ ଲୋକମାନେ ଫ୍ଲୋଏଡ୍‌ଙ୍କୁ ଛଡ଼ାଇବାକୁ ଆସିଥିଲେ ସେମାନଙ୍କୁ ପୋଲିସ ଅଟକାଇଥିଲା।

ଆମେରିକା ଭଳି ଏକ କ୍ଷମତାଶାଳୀ ରାଷ୍ଟ୍ରରେ ପୋଲିସର ଏଭଳି ନାରକୀୟ କାଣ୍ଡର ଭିଡିଓ ଚାରିଆଡ଼େ ଭାଇରାଲ୍‌ ହୋଇଥିଲା। ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଘୂରି ବୁଲିଥିଲା। ସମସ୍ତେ ପୋଲିସର ଏହି କାରନାମାକୁ ନିନ୍ଦା କରିଥିଲେ। ଏହାପରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା।

ଆମେରିକାରେ ପୋଲିସ କାହିଁକି ସାଜିଲା ସଇତାନ?

ଜଣେ ଅପରାଧୀଙ୍କୁ ବିଚ୍‌ ରାସ୍ତାରେ ଜଣେ ପୋଲିସ କର୍ମଚାରୀ ଗଳା ଚିପି ମାରିଦେବା ଭଳି ଘଟଣା ବୋଧହୁଏ ଆମେରିକା ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପ୍ରଥମ ଘଟଣା। ଆମେରିକାରେ ଅନେକ ଘଟଣା ଦୁର୍ଘଟଣା ଘଟିଛି, ହେଲେ ଗତ ୨୫ ତାରିଖ ଦିନ ଯେଉଁ ଲୋମଟାଙ୍କୁରା ଘଟଣା ଘଟିଗଲା ତାହା ପୂରା ବିଶ୍ଵବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣ ଲୋକଙ୍କ ପାଇଁ ସରକାର ଯେଉଁ ପୋଲିସ ବାହିନୀ ଗଠନ କରିଛନ୍ତି ସେ ଯେ ଲୋକଙ୍କ ଜୀବନ ନେଇପାରେ ତାହା ଆମେରିକାର ଏହି ଘଟଣାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

ଆମେରିକାରେ ଯେଉଁ ନାରକୀୟ କାଣ୍ଡ ଘଟିଲା ତା’ ପଛରେ ଭିନ୍ନ କାରଣ ଥିବା କୁହାଯାଉଛି। ନକଲି ନୋଟ୍ କାରବାର ପାଇଁ ଫ୍ଲୋଏଡ୍‌ ଧରାହୋଇଥିଲେ ସତ, ହେଲେ ଏଥିପାଇଁ ତାଙ୍କୁ ପୋଲିସ ହତ୍ୟା କରିନି। ଆମେରିକାରେ ଗତ ୬୦ ଦଶକରୁ କଳା, ଗୋରା ଲୋକଙ୍କ ଭିତରେ ବର୍ଣ୍ଣବୈଷମ୍ୟକୁ ନେଇ ଭେଦଭାବ ରହି ଆସିଛି। ଏହି କାରଣ ପାଇଁ ଫ୍ଲୋଏଡଙ୍କ ପ୍ରାଣ ଯାଇଥିବା ଚର୍ଚ୍ଚା ହେଉଛି। ଫ୍ଲୋଏଡ୍‌ କଳା ଲୋକ ହୋଇଥିବାରୁ ପୋଲିସ କର୍ମଚାରୀ ତାଙ୍କ ସହ ଏଭଳି ବର୍ବରକାଣ୍ଡ ଘଟାଇଥିବା ଆଲୋଚନା ହେଉଛି।

ସହରରୁ ସହରକୁ ବ୍ୟାପିଲା ଆନ୍ଦୋଳନ

ସୁରକ୍ଷା କର୍ମୀଙ୍କ ହାତରେ ଫ୍ଲୋଏଡ୍‌ଙ୍କ ପ୍ରାଣ ଯିବା ପରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ମନିପଲିସ୍‌ ସହରରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଉତ୍ତ୍ୟକ୍ତ ଲୋକେ ମନିପଲିସ୍‌ ଥାନାରେ ନିଆଁ ଲଗାଇ ଦେଇଥିଲେ। ଯେଉଁ ପୋଲିସ କର୍ମଚାରୀ ଫ୍ଲୋଏଡ୍‌ଙ୍କ ଗଳା ଚିପି ହତ୍ୟା କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ କଳା ସଂପ୍ରଦାୟର ଲୋକେ। ଫ୍ଲୋଏଡଙ୍କ ପରିବାର ଲୋକ ବି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମନିପଲିସ ସହରରୁ ପୋଲିସ ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ପୂରା ଆମେରିକାରେ ବ୍ୟାପି ଚାଲିଛି। ଲୋକେ ହ୍ୱାଇଟ୍‌ ହାଉସ୍‌ ସମ୍ମୁଖରେ ପ୍ରତିବାଦ କରିବା ସହ ଟେକା ପଥର ମାଡ଼ କରିଥିଲେ। ଛକ ଛକରେ ନିଆଁ ଜାଳି ପ୍ରତିବାଦ କରିଥିଲେ। ପୋଲିସ ଭ୍ୟାନ ଭଙ୍ଗାରୁଜା କରିବା ସହ ପୋଲିସକୁ ଆକ୍ରମଣ ମଧ୍ୟ କିଛି ସ୍ଥାନରେ ହୋଇଛି। ୧୦୦ରୁ ଅଧିକ ସହରରେ ଏବେ ହିଂସାକାଣ୍ଡ ବ୍ୟାପିଛି। କିଛି ପ୍ରମୁଖ ସହରରେ ଉତ୍ତ୍ୟକ୍ତ ଲୋକେ ସୁପରମାର୍କେଟରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି।

ବଙ୍କରରେ ଲୁଚିଲେ ଟ୍ରମ୍ପ

ବିକ୍ଷୋଭକାରୀମାନେ ହ୍ୱାଇଟ୍‌ ହାଉସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହ୍ୱାଇଟ୍‌ହାଉସକୁ ଚାରିପଟୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଟେକା, ପଥର ମାଡ଼ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏତିରୁ ରକ୍ଷା ପାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ବଙ୍କରରେ ଲୁଚିଥିବା ମିଡିଆରେ ଖବର ପ୍ରଚାରିତ ହୋଇଥିଲା। ବଙ୍କର ଭିତରେ ଥାଇ ବି ସେ ବିକ୍ଷୋଭକାରୀଙ୍କ ଉପରେ ନଜର ରଖିଥିବା ଟ୍ରମ୍ପ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ।

ମୁଣ୍ଡ ନୁଆଁଇ ପୋଲିସ ମାଗିଲା କ୍ଷମା

ଫ୍ଲୋଏଡ୍‌ଙ୍କ ହତ୍ୟା ପରେ ପୂରା ଆମେରିକା ଜଳୁଛି। ବିକ୍ଷୋଭକାରୀମାନେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରମୁଖ ସହରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଆମେରିକା ଏବେ ଅଶାନ୍ତ ହୋଇ ଯାଇଛି। ଆମେରିକାରେ ଶାନ୍ତି ଫେରାଇ ଆଣିବା ଲାଗି ପୋଲିସ ଗତକାଲି ନତମସ୍ତକ ହୋଇ ଜନତାଙ୍କୁ କ୍ଷମା ମାଗିଥିଲା। ସବୁ ପୋଲିସ ଗୋଟିଏ ସ୍ଥାନରେ ଏକାଠି ହୋଇ ଆଣ୍ଠୁ ମାଡ଼ି କ୍ଷମା ମାଗିଥିବା ଚିତ୍ର ଭାଇରାଲ ହୋଇଥିଲା। କ୍ଷମତାଶାଳୀ ରାଷ୍ଟ ଆମେରିକାରେ ଜନତାଙ୍କ କ୍ଷମତା ଆଗରେ ସବୁକିଛି ତୁଚ୍ଛ ବୋଲି ପୋଲିସର କ୍ଷମା ମାଗିବା ଘଟଣା ପ୍ରମାଣିତ ହୋଇଛି। ଆମେରିକା ପୋଲିସର ଏହି କ୍ଷମା ମାଗିବା ପ୍ରସଙ୍ଗ ବିଶ୍ୱର ସବୁ ପୋଲିସଙ୍କ ପାଇଁ ଉଚିତ ଶିକ୍ଷା ବୋଲି କୁହାଯାଉଛି।

୬୦ ଦଶକରୁ କଳା-ଗୋରା ଭେଦଭାବ!

ଆମେରିକାରେ କଳା-ଗୋରା ଭେଦଭାବକୁ ନେଇ ସବୁବେଳେ ଦଙ୍ଗା ଭଳି ପରିସ୍ଥିତି ଦେଖାଦେଇ ଆସିଛି। ୬୦ ଦଶକ ପୂର୍ବରୁ ବର୍ଣ୍ଣ ବୈଶମ୍ୟ ଭେଦଭାବକୁ ନେଇ ସବୁବେଳେ କଳା ଓ ଗୋରା ଲୋକ ମୁହାଁମୁହିଁ ହୋଇ ଆସିଛନ୍ତି। ଆମେରିକାରେ କଳା ଲୋକମାନଙ୍କୁ ହୀନ ଚକ୍ଷୁରେ ଦେଖାଯାଉଥିବା କୁହାଯାଉଛି। ଏହାର ପ୍ରତିବାଦରେ ବିଭିନ୍ନ ସୟମରେ କଳାଲୋକମାନେ ରାଜରାସ୍ତାକୁ ଓହ୍ଲାନ୍ତି।

ଅଗଷ୍ଟ ୧୯୬୫ରେ ପୋଲିସ ପରିଚୟପତ୍ର ଯାଞ୍ଚ କରୁଥିବା ବେଳେ ଦୁଇ ଜଣ କଳା ଲୋକଙ୍କୁ ଅଟକ ରଖିଥିଲା। ଏହାକୁ ନେଇ କଳା ଲୋକମାନେ ତାତିଥିଲେ। ରାଜରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। ଦଙ୍ଗା ସୃଷ୍ଟି ହୋଇଥିଲା। ଏତିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୬୭ ଜୁଲାଇ ମାସରେ ପୋଲିସ ଅଧିକାରୀ ଜଣେ ଟାକ୍ସି ଡ୍ରାଇଭରଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗିରଫ କରିଥିଲେ। ତାଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ନ୍ୟୁୟର୍କରେ ଦଙ୍ଗା ଦେଖାଦେଇଥିଲା। ୨୬ ଲୋକଙ୍କର ମୃତ୍ୟୁ ହୋଇଥିଲା।

୧୯୭୯ରେ ଚାରି ଜଣ ଗୋରା ପୋଲିସ କର୍ମୀ ଜଣେ ମଟର ସାଇକେଲ ଆରୋହୀଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବିକ୍ଷୋଭ ଜୋରଦାର ହୋଇଥିଲା। ୧୯୯୨ରେ ଜଣେ କଳା ସଂପ୍ରଦାୟର କାର୍‌ ଡ୍ରାଇଭରଙ୍କୁ ମାଡ଼ ମରାଯାଉଥିବା ଘଟଣା ଜଣେ ପୋଲିସ କର୍ମଚାରୀଙ୍କ ହାତ ଥିଲା। ଏହାକୁ ନେଇ ହଙ୍ଗାମା ହୋଇଥିଲା।

ସେହିପରି ୨୦୦୧, ୨୦୧୪ ଏବଂ ୨୦୧୫ ଓ ୨୦୧୬ରେ ବି ଆମେରିକାରେ ବର୍ଣ୍ଣ ବୈଶମ୍ୟକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।

ଜର୍ଜ ଫ୍ଲୋଏଡ୍‌ କିଏ?

୪୬ ବର୍ଷିୟ ଜର୍ଜ ଫ୍ଲୋଏଡ୍‌ ଉତ୍ତର କାରୋଲିନାରେ ଜନ୍ମଗ୍ରହଣ କରିଥିଲେ। ହେଲେ ସେ ପରେ ନିଜ ପରିବାର ସହ ହ୍ୟୁଷ୍ଟନରେ ରହୁଥିଲେ। ପରେ ସେ କାମ ପାଇଁ ମିନିପଲିସ ଚାଲିଯାଇଥିଲେ। ସେଠାରେ ଏକ ହୋଟେଲରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।

ଜର୍ଜ ପାଞ୍ଚ ବର୍ଷ ଧରି ସେହି ରେଷ୍ଟୁରାଣ୍ଟରେ କାମ କରିଥିଲେ। ସେଠାରେ ସେ ନିଜ ମାଲିକଙ୍କ ଘରେ ରହୁଥିଲେ। ସେଠାରେ ସେ ‘ବିଗ୍‌ ଫ୍ଲଏଡ୍‌’ ଭାବେ ଜଣାଶୁଣା। ତାଙ୍କର ଗୋଟିଏ ୬ ବର୍ଷର ଝିଅ ମଧ୍ୟ ଅଛି।

ମେ ୨୫ ତାରିଖରେ ମିନିପଲିସ ପୋଲିସ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିଥିଲା। ପୋଲିସ ଏକ ଖୁଚୁରା ଦୋକାନରୁ ସୂଚନା ପାଇଥିଲା ଯେ ଜର୍ଜ ନକଲି ନୋଟ ବ୍ୟବହାର କରିଥିଲା। ଏହା ପୂର୍ବରୁ ମଧ୍ୟ ଜର୍ଜ ୨୦୦୭ରେ ଜଣଙ୍କ ଘର ଉପରକୁ ଆକ୍ରମଣ ଯୋଗୁଁ ୫ ବର୍ଷ ପାଇଁ ଦଣ୍ଡିତ ହୋଇଥିଲେ। ହେଲେ ତାଙ୍କୁ ୨୦୦୯ରେ ଜାମିନ ମିଳିଯାଇଥିଲା।

Comment