ଓଡ଼ିଶାଲାଇଭ୍ବ୍ୟୁରୋ

ଆସନ୍ତାକାଲି ସ୍ନାନଯାତ୍ରା। ଆଜି ରାତିରୁ ପହଣ୍ଡି ନୀତି। ପୁରୀରେ ୩୮ ପ୍ଲାଟୁନ ଫୋର୍ସ।

ପୋଲିସ କଡନ ଭିତରେ ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ସମ୍ପନ୍ନ ହେବ। ଏଥିପାଇଁ ପୁରୀରେ ୧୪୪ ଧାରା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଚାରିପଟ ବଡ଼ଦାଣ୍ଡରେ ଏହି ଧାରା ବଳବତ୍ତର ରହିବ। ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।

ପୁରୀକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ବିନା ଭକ୍ତରେ ଏଥର ସ୍ନାନଯାତ୍ରା ନୀତି ଅନୁଷ୍ଠିତ ହେବ।

ଆସନ୍ତାକାଲି ସ୍ନାନଯାତ୍ରା। ଏଥିପାଇଁ ଆଜି ରାତି ୧ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି। ବ୍ୟାରିକେଡ୍‌ ପାଖରେ ପୋଲିସ ଜଗିବେ। ଭିଡିଓ ରେକର୍ଡିଂ କରିବାର ବି ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡ ପୂରା ସିସିଟିଭି ନଜରରେ ରହିବ।

‘‘ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବେ ସେବାୟତ। ମନ୍ଦିର ବାହାରେ ଯେଉଁ ପୋଲିସ କର୍ମଚାରୀମାନେ ରହିବେ ସେମାନେ ବି ସାମାଜିକ ଦୂରତା ରକ୍ଷା କରିବେ। ୨୪ ଘଣ୍ଟିଆ ଡ୍ୟୁଟି ରହୁଥିବାରୁ ପୋଲିସ କର୍ମଚାରୀମାନେ ୪ଟି ସିଫ୍ଟରେ ଡ୍ୟୁଟି କରିବେ। ଏଥିପାଇଁ ଆମେ ୩୮ ପ୍ଲାଟୁନ ଫୋର୍ସ ମୁତୟନ କରିଛୁ’’, କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି।

ଲୋକମାନେ ଯେମିତି ବଡ଼ଦାଣ୍ଡକୁ ନଆସନ୍ତି ସେଥିପ୍ରତି ପୋଲିସ ପୂରା ନଜର ରଖିବ। ପ୍ରଥମ ଥର ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା ଆୟୋଜନ କରାଯାଉଛି। ଘରେ ବସି ଭକ୍ତମାନେ ଟିଭି ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖି ପାରିବେ।

ଆଜି ରାତି ୧ଟାରେ ମଙ୍ଗଳାର୍ପଣ ନୀତି ହେବ। ଭୋର୍‌ ୪ଟା ପର୍ଯ୍ୟନ୍ତ ପହଣ୍ଡି ବିଜେ ନୀତି ସମ୍ପନ୍ନ ହେବ। ସକାଳ ସାମେ ୭ଟାରୁ ସାଢ଼େ ୯ଟା ଭିତରେ ଜଳ ବିଜେ, ପୂଜା, ସ୍ନାନ ଆଦି ନୀତି କରାଯିବ। ସକାଳ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆ ବସ୍ତ୍ର ଲାଗି କରାଯିବ। ସାଢ଼େ ୧୦ଟାରେ ଛେରାପହଁରା, ୧୧ଟାରୁ ୧୨ଟା ହାତୀ ବେଶ, ଅପରାହ୍‌ଣ ୪ଟାରେ ଡୋର ଲାଗି ଓ ପୁଷ୍ପାଞ୍ଜଳି, ସନ୍ଧ୍ୟା ୫ଟାରୁ ୮ଟା ବାହୁଡା ପହଣ୍ଡି ହେବ।

Comment