ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ରିକେଟ ଜଗତର ଲୋକପ୍ରିୟ ଅଫ୍ ସ୍ପିନର୍ ହରଭଜନ ସିଂ ଏବେ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜ୍ଞା ହଁ, ଭାରତୀୟ କ୍ରିକେଟ୍ ଟିମର ସିନିୟର କ୍ରିକେଟର ହରଭଜନ ସିଂଙ୍କ ଅଭିନୀତ ପ୍ରଥମ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ।
ବିଗତ ୪ ବର୍ଷ ଧରି ଟିମ୍ ଇଣ୍ଡିଆକୁ ଫେରିବାର ଲକ୍ଷ୍ୟ ରଖିଥିବା ଭଜ୍ଜି ପାଜୀ ସେପଟେ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିସାରିଲେଣି। ଏହା ହେଉଛି ଏକ ତାମିଲ୍ ଫିଲ୍ମ ଯାହାର ଟାଇଟଲ୍ ରହିଛି ‘ଫ୍ରେଣ୍ଡସିପ୍’। ଏହାର ନିର୍ଦ୍ଦେଶକ ହେଉଛନ୍ତି ଜନ୍ ପଲ୍ ରାଜ ଏବଂ ଶ୍ୟାମ ସୁର୍ଯା।

ହରଭଜ୍ଜନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫିଲ୍ମର ପୋଷ୍ଟର ସେୟାର କରି ନିଜ ଫ୍ୟାନମାନଙ୍କୁ ଏହି ଖବର ଜଣାଇଛନ୍ତି। ଏହି ପୋଷ୍ଟରରେ ସାଉଥ୍ ଫିଲ୍ମର ଜଣାସୁଣା ଅଭିନେତା ଅର୍ଜ୍ଜୁନ ସରଜା ଏବଂ ଅଭିନେତ୍ରୀ ଲୋସଲିଆ ମଧ୍ୟ ନଜର ଆସିଛନ୍ତି।

ଫିଲ୍ମର ସୁଟିଂ ଶେଷ ହୋଇସାରିଛି। ବର୍ତ୍ତମାନ କୋରୋନା ଯୋଗୁଁ ଚାରିଆଡ଼େ ଲକଡାଉନ ଥିବାରୁ ଫିଲ୍ମଟି ରିଲିଜ୍ ହୋଇପାରିନି। କିନ୍ତୁ ଆଗକୁ ପରିସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ମାସରେ ଏହି ଫିଲ୍ମଟି ରିଲିଜ୍ ହୋଇପାରେ।

















