ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ
  • ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା
  • ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ଗାନ କରାଯିବ
  • ସ୍କୁଲ, କଲେଜ, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ପରିବେଷଣ ହେବ
  • ଏହି ସଙ୍ଗୀତ ଗାନ କରିବା ବେଳେ ସମସ୍ତେ ଛିଡ଼ା ହୋଇ ସମ୍ମାନ ପ୍ରଦର୍ଶନ କରିବେ
  • ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଏଥିପାଇଁ ଆଜି ରବିବାର ଛୁଟିଦିନରେ ବସିଥିଲା କ୍ୟାବିନେଟ୍‌ ବୈଠକ। ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କାଳଜୟୀ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’। ଏହି ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶ ଭକ୍ତିର ଅଫୁରନ୍ତ ଶକ୍ତି ଓ ସୌନ୍ଦର୍ଯ୍ୟ, ଆଗକୁ ବଢ଼ିବା ପାଇଁ ଅଦମ୍ୟ ପ୍ରେରଣା। କାନ୍ତକବିଙ୍କର ଏହି କାଳଜୟୀ ରଚନା ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇ ଆସୁଛି। ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ ଏହି ସଙ୍ଗୀତ ଗାନ କରାଯାଇ ଆସୁଛି।

୧୯୯୪ ମସିହା ନଭେମ୍ବର ୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିନରେ ଉଦଯାପନୀ ସଙ୍ଗୀତ ଭାବେ ଗାନ କରିବାକୁ ନିଷ୍ପତ୍ତି ହୋଇଥିଲା।

କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଗତ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ସମଗ୍ର ଓଡ଼ିଆ ଜାତି ଏହି ସଙ୍ଗୀତ ଗାନ କରିଥିଲେ।

ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ଥିର କରିବ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଏହି ସଙ୍ଗୀତ ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ କରାଯିବ।

ବିଦ୍ୟାଳୟ, ମହାବିଦ୍ୟାଳୟ, ସଭାସମିତି, ସାଂସ୍କୃତି କାର୍ଯ୍ୟକ୍ରମରେ ଏହାକୁ ପରିବେଷଣ କରାଯିବ। ଏହି ସଙ୍ଗୀତ ଗାନ ବେଳେ ସମସ୍ତେ ଛିଡା ହୋଇ ସମ୍ମାନ ପ୍ରଦର୍ଶନ କରିବେ। ମାତ୍ର ବୟସ୍କ, ଶିଶୁ, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା ସେମାନେ ନିଜ ସ୍ଥାନରେ ନମ୍ର ଭାବେ ବସି ରହି ସମ୍ମାନ ପ୍ରଦାନ କରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଏହି ସଙ୍ଗୀତ ପୋଲିସ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ସାମିଳ କରିବା ପାଇଁ ସ୍କୁଲ ଓ ଗରଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Comment