ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହାକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସେବାୟତମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଦିଲ୍ଲୀପ ରାୟ ଏହି ମାମଲା ଦାୟର କରିଛନ୍ତି।

ସେ ତାଙ୍କ ଆବେଦନରେ ୪ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସମେତ ଆଉ ୩ ଜଣଙ୍କୁ ସେ ପକ୍ଷଭୁକ୍ତ କରିଛନ୍ତି।

ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଲୋକଙ୍କୁ ଜରିମାନା ଗଣିବାକୁ ପଡୁଛି। ଏହାସହ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେଉଛି। ହେଲେ ସ୍ନାନଯାତ୍ରା ବେଳେ ସେବାୟତମାନେ ଏହି ନିୟମ ଉଲ୍ଲଂଘନ କରିଥିଲେ। ମୁହଁରେ ସେମାନେ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା ରକ୍ଷା କରି ନଥିଲେ। ଏଣୁ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଏହାସହ ରଥଯାତ୍ରା ବେଳେ ମଧ୍ୟ କୋଭିଡ୍‌ ନିୟମ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ରଥଟଣାରେ ପୋଲିସ କିମ୍ବା ସେବାୟତମାନଙ୍କୁ ସାମିଲ କରାନଯାଇ ଆଉ କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ। ପୋଲିସ ଏବଂ ସେବାୟତମାନେ ଯଦି ରଥ ଟାଣନ୍ତି ତାହାଲେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ନାହିଁ।

Comment