ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ସବ ଇନ୍ସପେକ୍ଟର ଦିବ୍ବିଜୟ ବିଶ୍ୱାଳଙ୍କ ବଦଳି ବାତିଲକୁ ବିରୋଧ। ତାଙ୍କ ବଦଳି ବାତିଲ ଦାବିରେ ବାଣପୁର ବ୍ଲକର ୧୫ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ମହିଳାମାନେ ବାଣପୁର ଥାନା ପରିସରରେ ଧାରଣା ଦେଇଛନ୍ତି। ଏହାସହ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଣପୁର ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ପୂର୍ବରୁ ଏହି ମହିଳାମାନେ ଗତ ୫ ତାରିଖରେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ସୁରେଶ କୁମାର ଦାସଙ୍କୁ ମଧ୍ୟ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଥାନା ଅଧିକାରୀ ଦାବିପତ୍ର ଗ୍ରହଣ କରି ଦୁଇ ଦିନ ସମୟ ମାଗିଛନ୍ତି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କୁ ଦାବିପତ୍ର ପ୍ରଦାନ କରି ତାଙ୍କୁ ଅବଗତ କରେଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ମହିଳାଙ୍କ ସୁରକ୍ଷା ତଥା ଗ୍ରାମାଞ୍ଚଳରେ ଚାଲୁଥିବା ବେଆଇନ ମଦ ବିକ୍ରି ଉପରେ ଲଗାମ ଦେବାରେ ଦିଗ୍ବିଜୟ ବିଶ୍ଵାଳଙ୍କ କାର୍ଯ୍ୟ ପ୍ରଶଂସନୀୟ ରହିଛି। ନିକଟରେ ବାଣପୁର ଅଞ୍ଚଳରେ ବହୁ ବେଆଇନ ମଦ କାରାବାର ଠପ୍ ହେବା ସହିତ ଘରୋଇ ହିଂସା ମାମଲା ମଧ୍ୟ କମ୍ ଆସିଥିବାର ଦେଖାଯାଇଛି। ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ନ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି।
ପୋଲିସ୍ ଅଧିକାରୀଙ୍କ ସପକ୍ଷରେ ଆନ୍ଦୋଳନ କରିଥିବା ଏହି ମହିଳା ଗୋଷ୍ଠୀର ନେତୃତ୍ଵ ନେଇଥିଲେ ବାସନ୍ତୀ ମହାରଣା, ସୁକାନ୍ତି ପଲେଇ, କୁନିବାଳା ଭୁଜବଳ, ଲକ୍ଷ୍ମୀ ଖଟେଇ, ଜାନକୀ ବିଶୋଇ ଆଦି ମହିଳା ନେତ୍ରୀ।















