ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଗୁରୁବାର ଉଭୟ ନେତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ ଦୁଇ ନେତା ନିଜ ଦଳୀୟ କର୍ମୀଙ୍କ ସହ ଖୋର୍ଦ୍ଧା ସହରରେ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଲା।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗୁରୁବାର ସକାଳେ ବିଜେଡି ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ସେ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଦୌଡ଼ିଥିଲେ। ତାଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଯାଉଥିବାର ଦେଖାଯାଇଥିଲା। ଖୋର୍ଦ୍ଧାରେ ପହଞ୍ଚିବା ପରେ ସେ ଦଳୀୟ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ଭୁବନେଶ୍ଵରରୁ ଖୋର୍ଦ୍ଧା ଯାଏଁ ଶୋଭାଯାତ୍ରା କରିଥିଲେ। ଏଥିରେ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଓ ଦଳର ଅନେକ କର୍ମୀ ସାମିଲ ହୋଇଥିଲେ। ଏହାପରେ ସେ ସମର୍ଥକଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଅନ୍ୟପଟେ ଗୁରୁବାର ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଏବଂ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଉଭୟ ନେତା ବିରାଟ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ତେବେ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀର ସମର୍ଥକ ନାରାବାଜି କରିଥିଲେ। ପରେ ପୋଲିସ ପକ୍ଷରୁ ବୁଝାବୁଝି କରାଯିବା ପରେ ମାମଲା ଶାନ୍ତ ପଡ଼ିଥିଲା।

Tags: #BhubaneswarLoksabhaSeat #AparajitaSarangi #ManmathRoutray #BJP #BJD #Politics #Khordha #Odisha

Comment