ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ।

ସୋମବାର ବରଗଡ଼ ଜିଲ୍ଲା ସମେତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼,ସୋନପୁର,ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବ। ସେହିପରି ୧୭ ଏବଂ ୧୮ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି କୁହାଯାଇଛି। ଏହି କାରଣରୁ ବର୍ତ୍ତମାନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଗତକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଝିପଝିପ୍ ବର୍ଷା ସହ ପାଗ କୋହଲା ରହିଛି। ଏହି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ଫଳରେ ରଜ ମଉଜ ପୂରା ବର୍ଷାରେ ଭିଜିବ ବୋଲି ଜଣାପଡୁଛି।

Comment