ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ସମୟ ହାତରେ ଥିବା ବେଳେ ଏବର୍ଷ ରଥ ଟଣା କାର୍ଯ୍ୟ କିଭଳି ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ମେସିନ ସାହଯ୍ୟରେ କିମ୍ବା ହାତୀ ଲଗାଇ ରଥ ଟାଣିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଥିବାରୁ ଏହାକୁ ସେବାୟତମାନେ ବିରୋଧ କରୁଛନ୍ତି।

ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁଯାୟୀ ମେସିନ ସାହାଯ୍ୟରେ ରଥ ଟଣା ହୁଏନା ବୋଲି କହିଛନ୍ତି ଶୁଦ୍ଧ ସୁଆର ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଯଦି ସେଭଳି କରାଯାଏ ଆମେ ତାହାକୁ ବିରୋଧ କରିବୁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ସେହିଭଳି ହାତୀ ଦ୍ଵାରା ରଥ ଟଣା ଏକ ଅସମ୍ଭବ ବ୍ୟାପାର ବୋଲି ଆଉ କିଛି ଗୋଷ୍ଠୀ କହିଛନ୍ତି। ରଥଯାତ୍ରାର ଆଳଙ୍କରିକତା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସିନା ହାତୀ ଅଣାଯାଏ। ହାତୀ କେମିତି ରଥ ଟାଣିବେ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ଭାଗୀ ପଣ୍ଡା। ସେ ଏ କଥା ମଧ୍ୟ କହିଛନ୍ତି ଯେ ହାତୀ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଅତୀତରେ ପ୍ରାଣ ହରାଇବା ଘଟଣା ଆମେ ଶୁଣିଛୁ।

କୁହାଯାଉଛି ଆଗରୁ ରଥଯାତ୍ରା ସମୟରେ ତିନି ରଥ ଓ ପୁରୀ ଗଜପତି ମହାରାଜାଙ୍କ ପାଲିଙ୍କି ଟାଣିବା ପାଇଁ ହାତୀମାନଙ୍କୁ କାମରେ ଲଗା ଯାଉଥିଲା। କିନ୍ତୁ ୧୯୭୨ରୁ ଏହି ପ୍ରଥା ବନ୍ଦ କରି ଦିଆଯାଇଥିଲା।

ସେବାୟତମାନେ କହିଛନ୍ତି ଯେ, ଏବର୍ଷ ରଥ ଟଣା କାର୍ଯ୍ୟ ପୋଲିସ ଓ ସେମାନଙ୍କ ଦ୍ୱାରା କରାଯିବା ଦରକାର। ତେବେ ଏ ନେଇ ଦୁଇ ଦିନ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡିଛି।

Comment