ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାରଙ୍କର ଆଗାମୀ ପଦକ୍ଷେପ କ’ଣ ରହିବ ତା’ ଉପରେ ନଜର ରହିଥିବା ବେଳେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତୀକାତ୍ମ ରଥଯାତ୍ରା ହୋଇପାରେ ବୋଲି କୁହାଯାଉଛି।

କରୋନା ମହାମାରୀ ପାଇଁ ଏଥର ଶ୍ରୀମନ୍ଦିର ବାହାରେ କୌଣସି ନୀତିକାନ୍ତି ହୋଇ ନଥିଲା। ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ଶ୍ରୀମନ୍ଦିର ପରିସରରେ ହୋଇଥିବା ବେଳେ ଚନ୍ଦନଯାତ୍ରା ମଧ୍ୟ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ପୁଷ୍କରିଣୀ ବଦଳରେ ଏଥର ଅସ୍ଥାୟୀ କୁଣ୍ଡରେ ଚାପ ଖେଳ ହୋଇଥିଲା। ସେହିପରି ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ମଧ୍ୟ ରଥଯାତ୍ରା ଆୟୋଜନ ହୋଇପାରେ ବୋଲି କୁହାଯାଉଛି।

‘‘ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ, ଯଦି କୌଣସି କାରଣରୁ ରଥଯାତ୍ରା ବନ୍ଦ ହେଲା ତାହାଲେ ବିଧି ରକ୍ଷା ପାଇଁ ଭୋଗମଣ୍ଡପରେ ଏହି ପରମ୍ପରା ହୋଇ ପାରିବ। ଏ ସମ୍ପର୍କରେ ରାଜ୍ୟ ସରକାର ଶ୍ରୀମନ୍ଦିର ପୁରୋହିତ, ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ। ଏହାସହ ଶ୍ରୀମନ୍ଦିରରେ ଥିବା ପୁରୁଣା ରେକର୍ଡ ମଧ୍ୟ ଅନୁଧ୍ୟାନ କରିପାରିବେ’’, କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ।

ପୂର୍ବରୁ ଯେତେ ଥର ରଥଯାତ୍ରା ବନ୍ଦ ହୋଇଥିଲା ସେତେବେଳେ କ’ଣ ବ୍ୟବସ୍ଥା କରାଯାଇଥିଲା ସେ ବିଷୟରେ ଆଲୋଚନା କରିବା ଦରକାର।

ରଥଯାତ୍ରା ପାଇଁ ରଥ ନିର୍ମାଣ କାମକୁ ଆଗେଇନେବା, କରୋନା କଟକଣା. ଭିତରେ ମହାରଣା ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ଦେବସ୍ନାନ ପୂର୍ଣ୍ଣିମା ଆୟୋଜନକୁ ସବୁଜ ସଙ୍କେତ ଦେବା, ସେବାୟତମାନଙ୍କର କରୋନା ନମୁନା ପରୀକ୍ଷା କରିବା, ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟିବାକୁ ନିର୍ଦ୍ଦେଶ ଦେବା ଘଟଣା ରଥଯାତ୍ରା ପାଇଁ ବାଟ ଫିଟାଇଥିଲା। ସରକାର କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ। ଗୋଟିଏପଟେ ରଥ ନିର୍ମାଣ କାମ ଆଗେଇ ଚାଲିଥିଲା, ଅନ୍ୟପଟେ ସରକାର ନୀରବ ରହିଥିଲେ। ସରକାରଙ୍କ ନୀରବତା ଝଡ଼ ସୃଷ୍ଟି କରିଥିଲା। ଏବେ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେଇ ସାରିଥିବାରୁ ସରକାରଙ୍କର ଆଭିମୁଖ୍ୟ କ’ଣ ରହିବ ଏବଂ ଭକ୍ତ ଓ ସେବାୟତଙ୍କୁ କେମିତି ବୁଝାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment