ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ଶ୍ରୀମନ୍ଦିରରେ ବିଧି ରକ୍ଷା ପାଇଁ ହେବ କି ପ୍ରତୀକାତ୍ମକ ରଥଯାତ୍ରା?

ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ଲାଗିବନି ଭକ୍ତଙ୍କ ଗହଳି କି ଶୁଭିବନି ଡାହୁକର ଡାକ। କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ତେବେ ବର୍ଷ ବର୍ଷର ପରମ୍ପରା କ’ଣ ଏଥର ବନ୍ଦ ହୋଇଯିବ ନା ବିଧି ରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ତାକୁନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ମାନସମନ୍ଥନ ଚାଲିଛି।

କରୋନା ମହାମାରୀ ପାଇଁ ଏଥର ଶ୍ରୀମନ୍ଦିର ବାହାରେ କୌଣସି ନୀତିକାନ୍ତି ହୋଇ ନଥିଲା। ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ଦିନରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ଅକ୍ଷୟ ତୃତୀୟା ତିଥିରେ ରଥଖଳାରେ ରଥକାଠ ଅନୁକୂଳ ହେବାର ବିଧି ରହିଥିଲେ ମଧ୍ୟ ତାହା ଏଥର ହୋଇ ନଥିଲା। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ କରାଯାଇଥିଲା।

Rath Yatra 2019ସେହିପରି ଚନ୍ଦନଯାତ୍ରା ମଧ୍ୟ ନରେନ୍ଦ୍ର ପୁଷ୍କରିଣୀରେ ହୋଇପାରି ନଥିଲା। ଚନ୍ଦନଯାତ୍ରା ପାଇଁ ୫୦ରୁ ଅଧିକ ସେବାୟତଙ୍କର ଆବଶ୍ୟକତା ଥିବାରୁ ନରେନ୍ଦ୍ର ପୁଷ୍କରିଣୀରେ ଯାତ୍ରା କରାନଯାଇ ଶ୍ରୀମନ୍ଦିର ଭିତରେ କରାଯାଇଥିଲା। ଏଥିପାଇଁ ଅସ୍ଥାୟୀ କୁଣ୍ଡ ଏବଂ ନୌକା ତିଆରି କରାଯାଇଥିଲା। ମହାପ୍ରଭୁଙ୍କ ପ୍ରତୀକ ଭାବେ ମଦନମୋହନ ଚାପ ଖେଳିଥିଲେ। ଶ୍ରୀମନ୍ଦିରର ଅନେକ ବାହାର ନୀତି ଭିତରେ ହିଁ ପାଳନ କରାଯାଇଥିଲା।

ଏସବୁ ଭିତରେ ରଥଯାତ୍ରା କେମିତି ହେବ ତାକୁନେଇ ଭାଳେଣି ପଡ଼ିଥିଲା। ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରାଯାଇ ଏବଂ ସାମାଜିକ ଦୂରତା ନିୟମ ଭିତରେ କେମିତି ରଥଯାତ୍ରା ହେବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ହେଲେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଏବର୍ଷ ରଥଯାତ୍ରା ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବଡ଼ଦାଣ୍ଡରେ ସିନା ରଥ ଗଡ଼ିବନି, ହେଲେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜନ ଉପରେ ଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଉଛନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଭୋଗମଣ୍ଡପରେ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜନ ଉପରେ ମାଦଳା ପାଞ୍ଜିରେ ଗୋଟିଏ ଧାଡ଼ି ଲେଖାଯାଇଛି। ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଏ ସମ୍ପର୍କରେ ଶ୍ରୀମନ୍ଦିର ପୁରୋହିତ, ବରିଷ୍ଠ ସେବାୟତ, ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ପଦକ୍ଷେପ ନେଇପାରିବେ।

‘‘ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଆମେ ସମ୍ମାନ ଦେଉଛୁ। କରୋନା ପାଇଁ ଶ୍ରୀମନ୍ଦିର ବାହାରେ ରଥଯାତ୍ରା ଆୟୋଜନ ବନ୍ଦ ରହିଛି। ହେଲେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ କ’ଣ କରାଯାଇ ପାରିବ ସେନେଇ ଆଲୋଚନା ଚାଲିଛି। ଛତିଶାନିଯୋଗ ସହ ବିଚାର ବିମର୍ସ ହେବ। ଯାହା ନିଷ୍ପତ୍ତି ଆସିବ ସେ ସମ୍ପର୍କରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ। ଶାସ୍ତ୍ର ଅନୁସାରେ ବିଧି ରକ୍ଷା ପାଇଁ ଯାହା କରିବା କଥା ତାହା କରାଯିବ’’, କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ସ୍ନାନ କରି ତିନି ଠାକୁର ଅଣସର ଘରେ ଅଛନ୍ତି। ଦଶମୂଳରେ ତାଙ୍କର ଉପଚାର ଚାଲିଛି। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ୯ ଦିନ ରହି ବାହୁଡ଼ା ଯାତ୍ରାରେ ଫେରନ୍ତି। ହେଲେ ଏଥର ରଥଯାତ୍ରା ବନ୍ଦ ହୋଇଯାଇଥିବାରୁ ମହାପ୍ରଭୁ ଅଣସରଘରୁ ରତ୍ନବେଦୀକୁ କେମିତି ଅସେିବେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ବରିଷ୍ଠ ସେବାୟତଙ୍କ ମତରେ ଯଦି ରଥଯାତ୍ରା ଆୟୋଜନ ନହୁଏ ତାହାଲେ ମହାପ୍ରଭୁ ସାରାବର୍ଷ ଅଣସର ଘରେ ରହିଯିବେ। ଏଣୁ ପ୍ରତୀକାତ୍ମକ ରଥଯାତ୍ରା କରି ମହାପ୍ରଭୁଙ୍କୁ ରତ୍ନବେଦୀକୁ ଆଣିବାର ବ୍ୟବସ୍ଥା କରାଯାଇପାରେ ବୋଲି ଆଲୋଚନା ହେଉଛି।

ରଥଯାତ୍ରା ବନ୍ଦକୁ ନେଇ ଗତ କାଲିଠୁ ଓଡ଼ିଶା ଉଠୁଛି ପଡୁଛି। କିଛି ଲୋକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଗ୍ରହଣ କରୁ ନାହାନ୍ତି। ରଥଯାତ୍ରା ବନ୍ଦ ହୋଇଥିବାରୁ କିଛି ସେବାୟତ ଏବଂ ଜଗନ୍ନାଥପ୍ରେମୀ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି। ଏହାରି ଭିତରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିବା ପାଇଁ ଆଲୋଚନା ହୋଇଥିଲା। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ କରାଯିବ।

ଏପଟେ ରଥଯାତ୍ରାକୁ ବନ୍ଦକୁ ନେଇ ସବୁଠି ହୋ-ହଲ୍ଲା ଚାଲିଥିବା ବେଳେ ଆଜି ଦୁଇଟି ପିଟିସନ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ ଆଂଶିକ ପରିବର୍ତ୍ତନ ଏବଂ ପୁନଃବିଚାର କରିବାକୁ ଆବେଦନ କରାଯାଇଛି। ପୁରୀ ସହରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯାଇ ସେବାୟତ ଓ ପୋଲିସଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବାକୁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତାକୁ ହିଁ ଅପେକ୍ଷା।

Comment