ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଢ଼େ ୩ ଘଣ୍ଟାର ଛତିଶାନିଯୋଗ ବୈଠକରେ ରଥଯାତ୍ରାର ବିଧି ରକ୍ଷା ପାଇଁ କୌଣସି ରାସ୍ତା ବାହାରି ପାରିଲା ନାହିଁ।

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଅଡୁଆରେ ପଡ଼ିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରାର ବିକଳ୍ପ କ’ଣ ହେବ ତାକୁନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗର ବୈଠକ ବସିଥିଲା। ହେଲେ ଏହି ବୈଠକରେ କୌଣସି ରାସ୍ତା ବାହାରି ପାରିଲା ନାହିଁ। ଫଳରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁପ୍ରିମକୋର୍ଟଙ୍କ ଆଉ ଏକ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି।

‘‘ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ପୁନଃବିଚାର ପାଇଁ କିଛି ସଂସ୍ଥା ଆବେଦନ କରିଛନ୍ତି। ଶନିବାର ଏବଂ ରବିବାର ଛୁଟି ପଡୁଛି। ଏଣୁ ଆମକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସୋମବାର ଦିନ ସୁପ୍ରିମକୋର୍ଟ ପୁନଃବିଚାର କରି ଯଦି ତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରନ୍ତି ତାହାଲେ ରଥଯାତ୍ରା ହେବ। ନହେଲେ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବ। ଏନେଇ ଆସନ୍ତା ଦୁଇ ଦିନ ଧରି ଆଲୋଚନା ଚାଲିବ’’, କହିଛନ୍ତି ଗଜପତି ମହାରାଜା।

ଗଜପତି ଆହୁରି କହିଛନ୍ତି, ‘‘ଆମେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲୁ। ହେଲେ ସରକାର ଏହାକୁ ଠିକ୍‌ରେ ବୁଝି ପାରିଲେନି। ସୁପ୍ରିମକୋର୍ଟରେ ଆବେଦନକାରୀ ୧୦ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ଚାହୁଁଛୁ ବିନା ଭକ୍ତରେ ରଥଯାତ୍ରା ହେଉ। କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରୁଛୁ।’’

ଗତକାଲି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ବସିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅବଗତ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ଆଲୋଚନା ହୋଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ରଥଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ ବୋଲି ଗଜପତି କହିଥିଲେ। ଶାସ୍ତ୍ର ଅନୁସାରେ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହେବ ବୋଲି ଗଜପତି ମହାରାଜା ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଆଜି ସନ୍ଧ୍ୟାରେ ଛତିଶାନିଯୋଗର ବୈଠକ ବସିଥିଲା। ଗଜପତି ମହାରାଜାଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସାଢ଼େ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ କେମିତି ରଥଯାତ୍ରା ଆୟୋଜନ ହେବ ସେନେଇ କୌଣସି ରାସ୍ତା ବାହାରି ପାରିନଥିଲା। ଶେଷରେ ସୁପ୍ରିମକୋର୍ଟଙ୍କ ଆଉ ଏକ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଗଜପତି ମହାରାଜା କହିଛନ୍ତି।

ମଙ୍ଗଳବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ସୋମବାର ଦିନ ନବଯୌବନ ବେଶ। ଏହିଦିନ ସୁପ୍ରିମକୋର୍ଟରେ ହୋଇଥିବା ପୁନଃବିଚାର ଆବେଦନର ଶୁଣାଣି ହେବ। ଯଦି ସୁପ୍ରିମକୋର୍ଟ ପୁନଃବିଚାର ଆବେଦନକୁ ଖାରଜ କରିଦିଅନ୍ତି ତାହାଲେ ବିକଳ୍ପ ରଥଯାତ୍ରା କଥା ଚିନ୍ତା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ହାତରେ ଆଉ ସମୟ ଥିବ କି? ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦିଅନ୍ତି ତାହାଲେ ଗୋଟିଏ ଦିନ ଭିତରେ କେମିତି ପ୍ରସ୍ତୁତ ହେବେ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଶ୍ରୀମନ୍ଦିର ଭିତରେ ରଥଯାତ୍ରା ଆୟୋଜନ କରିହେବନି ବୋଲି ମୁକ୍ତିମଣ୍ଡପର ପଣ୍ଡିତମାନେ ମତ ଦେଉଛନ୍ତି। ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହେଲେ ଅଧରପଣା, ସୁନାବେଶ ନୀତି କେମିତି ହେବ ତାକୁନେଇ ପ୍ରଶ୍ନ ଉଠିଛି।

Comment