ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କରୋନା ମହାମାରୀ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଏଥର ସ୍ଥଗିତ ରଖାଯାଇଛି। ହେଲେ ବିଧି ରକ୍ଷା କରିବା ପାଇଁ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜନ କରାଯିବ। ମନ୍ଦିର ପରିସରରେ ମହାପ୍ରଭୁଙ୍କ ବିକଳ୍ପ ଘୋଷଯାତ୍ରାର ପରିକଳ୍ପନା କରିଛନ୍ତି ରାଜ ପୁରୋହିତ। ସ୍ନାନ ମଣ୍ଡପରେ ବସି ଭକ୍ତମାନଙ୍କୁ ଦୂରରୁ ଦର୍ଶନ ଦେବେ ବଳିଆ ସାଆନ୍ତ।

ସ୍ନାନ ମଣ୍ଡପ ବ୍ରହ୍ମ ତାଳଧ୍ୱଜ ରଥ ପାଲଟିବ ଏବଂ ଝୁଲଣ ମଣ୍ଡପ ମାଉସୀ ଘର ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯାଇଛି। କରୋନା ମହାମାରୀର ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ମନ୍ଦିର ପରିସରରେ ମହାପ୍ରଭୁଙ୍କ ଘୋଷଯାତ୍ରାର ସମସ୍ତ ବିଧି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ନିର୍ଦ୍ଦେଶନାମା ମନ୍ଦିର ପ୍ରଶାସନ ନିକଟରେ ଆଜି ପହଞ୍ଚିବାପରେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ବିକଳ୍ପ ରଥଯାତ୍ରା ଆୟୋଜନ ପାଇଁ ମହାପ୍ରଭୁଙ୍କର ରାଜପୁରୋହିତଙ୍କ ଆଜ୍ଞା ଲୋଡିବାର ବିଧି ରହିଛି। ଏହି ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ରାଜପୁରୋହିତ ବଂଶର ମୁଖ୍ୟ ଗିରିଧାରୀ ପତିଙ୍କ ଆଦେଶ ଲୋଡିଥିଲେ ପଣ୍ଡା, ସେବାୟତ ଓ ମନ୍ଦିର ପ୍ରଶାସନ। ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସୂଚନା ଅନୁସାରେ ରାଜପୁରୋହିତଙ୍କ ନିକଟରୁ ବିକଳ୍ପ ଘୋଷଯାତ୍ରାର ବିଧି ଘୋଷିତ ହୋଇଛି।

ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିକରି ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପକୁ ନିଆଯିବ। ରଥରେ ରହିବା ପରି ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ୩ ଦିନ ଅବସ୍ଥାନ କରିବେ। ଏହା ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାପରେ ଠାକୁରଙ୍କୁ ପୁଣି ପହଣ୍ଡି କରାଇ ମନ୍ଦିର ପରିସରରେ ଥିବା ଝୁଲଣ ମଣ୍ଡପକୁ ନିଆଯିବ। ଝୁଲଣ ମଣ୍ଡପକୁ ମାଉସୀମାଙ୍କ ମନ୍ଦିର ଭାବେ ବିବେଚନା କରାଯିବ।

ଝୁଲଣ ମଣ୍ଡପରେ ୬ ଦିନ ଅବସ୍ଥାନ କରିବେ ଠାକୁର। ସେହିପରି ବାହୁଡା ଯାତ୍ରା ଦିନ ଶ୍ରୀଜୀଉମାନଙ୍କୁ ପୁଣି ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ନିଆଯିବ। ସେଠାରେ ପୁଣି ଦିଅଁମାନେ ୩ ଦିନ ଅବସ୍ଥାନ କରିବେ। ପରେ ଦିଅଁଙ୍କୁ ଶ୍ରୀମନ୍ଦିରକୁ ପହଣ୍ଡିକରି ଅଣାଯିବ। ଏହି ଅନୁସାରେ ମନ୍ଦିର ବେଢା ମଧ୍ୟରେ ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାକୁ ସମାପନ କରିବାକୁ ରାଜପୁରୋହିତ ଆଜ୍ଞା ଦେଇଛନ୍ତି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

ଏହି ଯାତ୍ରା ସମୟରେ ଠାକୁରଙ୍କର ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାର ସମସ୍ତ ପୂଜାବିଧି ଅନୁସରଣ କରାଯିବ। ରଥାରୂଢ ଦିଅଁମାନଙ୍କୁ ଯେମିତି ଭକ୍ତମାନେ ରଥରେ ଦର୍ଶନ କରୁଥିଲେ, ସେମିତି ଦୂରରେ ରହି ଭକ୍ତମାନେ ସ୍ନାନ ମଣ୍ଡପରୁ ଦିଅଁମାନଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି।

Comment