ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି। ସୁପ୍ରିମକୋର୍ଟରେ ସାନିପିଟିସନ ଦାଖଲ କରିବାକୁ ଅନୁରୋଧ।

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ଅଡୁଆ ବଢ଼ିଲା। ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଶେଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁହଁ ଖୋଲିଛନ୍ତି। ରଥଯାତ୍ରା ଆୟୋଜନ କରିବାକୁ ଗଜପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟର ପୁନଃବିଚାର କରିବାକୁ ରାଜ୍ୟ ସରକାର ସାନିପିଟିସନ ଦାଖଲ କରିବାକୁ ଗଜପତି ଅନୁରୋଧ କରିଛନ୍ତି।

ରଥଯାତ୍ରାର ଅନେକ ଉଦାହରଣ ଦେଇ ଗଜପତି ଚିଠି ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ, ରଥଯାତ୍ରା କେବେ ବନ୍ଦ ହୋଇ ନଥିଲା। କେବଳ ମୋଗଲ ଶାସକଙ୍କ ଆକ୍ରମଣ ବେଳେ ରଥଯାତ୍ରା ବନ୍ଦ କରାଯାଇଥିଲା। ପ୍ରାକୃତିକ ଦୁର୍ବିପାକ ବେଳେ ବି ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।

କରୋନା ମହାମାରୀ ବେଳେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ନିର୍ଦ୍ଦେଶ ଦେଇଥିଲେ। ଏହି ରୟକୁ ରାଜ୍ୟ କ୍ୟାବିନେଟ୍‌ ଗ୍ରହଣ କରିଥିଲା। ପ୍ରତୀକ ରଥଯାତ୍ରା ପାଇଁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକ ବସିଥିଲା। ହେଲେ କୌଣସି ରାସ୍ତା ବାହାରି ପାରିଲା ନାହିଁ।

ଏହାରି ଭିତରେ ସୁପ୍ରିମକୋର୍ଟ ତାଙ୍କ ରାୟର ପୁନଃବିଚାର କରିବାକୁ ବିଭିନ୍ନ ବ୍ୟକ୍ତି ଆବେଦନ କରିଛନ୍ତି। ଛତିଶା ନିଯୋଗ ମଧ୍ୟ ଏନେଇ ଆବେଦନ କରିଛି। ସୁପ୍ରିମକୋର୍ଟ ଏହି ପୁନଃବିଚାର ଆବେଦନର ଶୁଣାଣି କରିପାରନ୍ତି। ଏହା ପୂର୍ବରୁ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯାଉ ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି।

Comment