ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଗୁଣ୍ଡିଚାଯାତ୍ରା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଛି। ଏପରି ସ୍ଥିତିରେ ନୟାଗଡ଼ ଜିଲ୍ଲାରେ ରଥଟଣାକୁ ମଧ୍ୟ ଜିଲ୍ଲା ପ୍ରଶାସନ ବାରଣ କରିଛି।

ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଜିଲ୍ଲାରେ ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ଓଡ଼ଗାଁ ଆଦି କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହାକୁ ସୁନିଶ୍ଚିତ କରିବା ପାଇଁ ବ୍ଲକ ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରଥଯାତ୍ରା ପାଇଁ ରଥ ନିର୍ମାଣ ଆଦି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ ଜିଲ୍ଲାରେ ରଥଯାତ୍ରା ବନ୍ଦ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି। ମନ୍ଦିର ମଧ୍ୟରେ ରଥଟଣା ନୀତିକୁ ସମ୍ମତି ମିଳିଛି।

Comment