ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ପାଇଁ ରାସ୍ତା ଫିଟୁଛି।

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାସ୍ତା ଫିଟୁଛି। ଆଉ କିଛି ସମୟରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ପୁନଃବିଚାର ପାଇଁ ଆସିଥିକା ଏକାଧିକ ଆବେଦନର ରାୟ ପ୍ରକାଶ କରିବେ। ତେବେ ଆଜି ସକାଳୁ ବର୍ତ୍ତମାନ ଯାଏଁ ସୁପ୍ରିମକୋର୍ଟରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି ତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ସବୁଜସଙ୍କେତ ଦେଇ ପାରନ୍ତି ବୋଲି କୁହାଯାଉଛି। ତେବେ ରଥଯାତ୍ରା ପାଇଁ କ’ଣ କଟକଣା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଗତ ୧୮ ତାରିଖରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏବର୍ଷ ରଥଯାତ୍ର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ। ହେଲେ ଏହାପରେ ରଥଯାତ୍ରାକୁ ନେଇ ଅଡୁଆ ବଢ଼ିଥିଲା। ରଥଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ପଡ଼ିଥିଲା।

ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃବିଚାର ପାଇଁ ଏକାଧିକ ପିଟିସନ ଦାଖଲ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଆୟୋଜନ ସପକ୍ଷରେ ମତ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଜ୍ୟସରକାର ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମକୋର୍ଟରେ ପକ୍ଷ ରଖିବାକୁ ଗଜପତି ଅନୁରୋଧ କରିଥିଲେ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଖପ୍ପା ହୋଇଥିଲେ। ଏସବୁ ଭିତରେ ଗତକାଲିଠୁ ରଥଯାତ୍ରାକୁ ନେଇ ରାଜନୀତି ତେଜିଥିଲା। ପୁରୀ ବିଜେପି ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ପୁରୀରୁ ବିାଜପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରଥଯାତ୍ରା ହେବା ପାଇଁ ଆଜି ପ୍ରାର୍ଥନା ଉପବାସ ରଖିବାକୁ ପୁରୀବାସୀଙ୍କୁ ନିବେଦନ କରିଥିଲେ।

ହେଲେ ଆଜି ସକାଳୁ ପୁଣି ଗଣିତ ବଦଳିଗଲା। ରଥଯାତ୍ରା ବନ୍ଦ ନକରିବାକୁ ସୁପ୍ରମିକୋର୍ଟରେ ପ୍ରସ୍ତାବ ରଖିଥିଲେ କେନ୍ଦ୍ର ସରକାର। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ହୋଇପାରିବନି ବୋଲି ଯୁକ୍ତି ବାଢ଼ିଥିଲେ। ବର୍ଷ ବର୍ଷର ପରମ୍ପରା ଭଙ୍ଗ କରାନଯାଉ ବୋଲି ସେ ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେ। ଏହାକୁ ରାଜ୍ୟ ସରକାର ସମର୍ଥନ କରିଥିଲେ। ଶେଷରେ ରଥଯାତ୍ରା ପୁନଃବିଚାର ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ସମ୍ମତ ହୋଇଥିଲେ।

ରଥଯାତ୍ରା ପୁନଃବିଚାର ଆବେଦନର ଶୁଣାଣି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ସାମିଲ ହୋଇଛନ୍ତି।

ଏପଟେ ପୁରୀରେ ରୁଦ୍ଧଦ୍ୱାର ବୈଠକ ବସିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କୁ ନେଇ ବୈଠକ ଚାଲିଛି। ପୁରୀ ବଡ଼ଦାଣ୍ଡରୁ ଉଠାଦୋକାନୀଙ୍କୁ ହଟାଯାଉଛି। ଏସବୁ ଘଟଣା ସ୍ପଷ୍ଟ କରୁଛି ଯେ, ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ଏବଂ ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଦେବେ।

Comment