ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ରଥଯାତ୍ରା ସପକ୍ଷରେ ବାହାରିଛନ୍ତି। ଏନେଇ କେନ୍ଦ୍ର ସଲିସିଟର ଜେନେରାଲ ତୁଷାରକାନ୍ତି ମେହେଟ୍ଟା ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି। ରଥଯାତ୍ରା ଯଦି ଏବର୍ଷ ହେବନାହିଁ ତାହାଲେ ୧୨ ବର୍ଷ ଯାଏଁ ହୋଇପାରିବନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଏହାସହ ମହାପ୍ରଭୁ ବର୍ଷେ ଯାଏଁ ଅଣସରଘରୁ ରତ୍ନବଦେୀକୁ ଆସିବେ ନାହିଁ ବୋଲି ସୁପ୍ରିମକୋର୍ଟକୁ ଅବଗତ କରିଛନ୍ତି ସଲିସିଟର ଜେନେରାଲ। ଏହାକୁ ବିଚାର କରି ଏବଂ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସଲିସିଟର ଜେନେରାଲ ଯୁକ୍ତି ବାଢ଼ିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି କରିବାକୁ ସମ୍ମତି ଜଣାଇଛନ୍ତି। ସେ ନାଗପୁରସ୍ଥିତ ତାଙ୍କ ବାସଭବନରୁ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବେ।

ତୁଷାର ମେହେଟ୍ଟା କହିଛନ୍ତି ଯେ, ରଥଯାତ୍ରା ହେଉଛି ବର୍ଷ ବର୍ଷର ପରମ୍ପରା। ଏହି ପରମ୍ପରାକୁ ଭଙ୍ଗ କରାନଯାଉ। ଏହା ହେଉଛି ବିଶ୍ୱାସର ଯାତ୍ରା। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯାଉ। କୋଭିଡ୍‌ ନବ୍ୟାପିବା ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରନ୍ତୁ। ଦିନକ ପାଇଁ ପୁରୀରେ କର୍ଫ୍ୟୁ ଲଗାଯାଉ। ବଡ଼ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବାକୁ ଅପିଲ କରିଛନ୍ତି। ଯେଉଁ ସେବାୟତଙ୍କର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି ସେମାନଙ୍କୁ ହିଁ ରଥଯାତ୍ରାରେ ସାମିଲ କରାଯାଉ।

Comment