ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ୩୦୦ ବର୍ଷର ପରମ୍ପରା ଭାଙ୍ଗିଛି। କରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଟକିଗଲା ବ୍ରହ୍ମ ତାଳଧ୍ୱଜ ରଥ। କେବଳ ବିଧି ରକ୍ଷା ପାଇଁ ମନ୍ଦିର ପରିସରରେ ପ୍ରତୀକାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଛି।

ଭୋର୍‌ରୁ ତୁଳସୀକ୍ଷେତ୍ର ବଡଦେଉଳର ଅଣସର ପିଣ୍ଡିରେ ମହାପ୍ରଭୁଙ୍କର ଜୟମଙ୍ଗଳ ଆଳତୀ ଓ ପରେପରେ ନୀତି ସ୍ନାନ ବଲ୍ଲଭ ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ଛାମୁରେ ଖେଚୁଡି ଧୂପ ଅର୍ପଣ କରାଯାଇଥିଲା। ଅପରାହ୍‌ଣରେ ପ୍ରଭୁଙ୍କୁ ସେନାପଟା କରିଥିଲେ ପଣ୍ଡା ସେବକଗଣ। ଏହାପରେ ପ୍ରଭୁଙ୍କ ନିକଟରେ ମଙ୍ଗଳାର୍ପଣ ଭେଟି କରାଯାଇଥିଲା।

ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ରଥଯାତ୍ରା ବନ୍ଦ ହେବାପରେ ଠାକୁରଙ୍କର ରାଜପୁରୋହିତ ଗିରୀଧାରୀ ପତିଙ୍କ ପରାମର୍ଶ ଅନୁସାରେ ଶ୍ରୀଜୀଉମାନଙ୍କୁ ରଥାରୂଢ କରା ନଯାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପକୁ ପ୍ରତୀକ ବ୍ରହ୍ମ ତାଳଧ୍ଵଜ ରଥ ଭାବେ ଗ୍ରହଣ କରାଯାଇଛି। ସ୍ନାନମଣ୍ଡପରେ ଆଜି ରାଜପୁରୋହିତ ଛେରାପହଁରା କରିବାପରେ, ରଥ ଭଳି ସ୍ନାନମଣ୍ଡପରେ ଠାକୁରଙ୍କ ନିକଟରେ ସମସ୍ତ ଉପଚାର ଶେଷ ହୋଇଛି। ସ୍ନାନ ମଣ୍ଡପରେ ଠାକୁର ୩ ଦିନ ଅବସ୍ଥାନ କରିବାପରେ ବାଟଦେଉଳକୁ ପହୁଣ୍ଡି ବିଜେକରିବେ। ବାଟଦେଉଳକୁ ମାଉସୀ ମା’ଙ୍କ ଘର ଭାବେ ବିବେଚନା କରାଯାଇଛି।

ପୁରୀରେ କୋଭିଡ୍‌ କଟକଣା ଭିତରେ ଯେମିତି ରଥଯାତ୍ରା ଅନୁଷ୍ଠିତ ହେଲା ଠିକ୍‌ ସେମିତି କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଘୋଷଯାତ୍ରା ହୋଇପାରିଥାନ୍ତା ବୋଲି କହିଛନ୍ତି ବଳଦେବ ସଂସ୍କୃତି ଗବେଷକ ନିରଞ୍ଜନ ମେକାପ। ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ଯଦି ଉଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଥାନ୍ତେ, ଏଠାରେ ମଧ୍ୟ ରଥଯାତ୍ରା ସମ୍ଭବ ହୋଇପାରିଥାନ୍ତା ବୋଲି ଶ୍ରୀ ମେକାପ କହିଛନ୍ତି।

କୁହାଯାଏ ୧୭୨୦ ମସିହାରେ ତୁଳସୀକ୍ଷେତ୍ରରେ ଘୋଷଯାତ୍ରାର ଆରମ୍ଭ ହୋଇଥିଲା। ତାହା ଆଜି ବନ୍ଦ ହେବାପରେ, ତୁଳସୀକ୍ଷେତ୍ରର ଘୋଷଯାତ୍ରା ଇତିହାସରେ ଆଜିଠୁ ଏକ ନୂଆ ପୃଷ୍ଠା ଯୋଡିହୋଇଛି। ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବା ଦାବିରେ ଭକ୍ତ ଓ ସେବକମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରଶାସନ ରଥଯାତ୍ରା କରିବାକୁ ଅକ୍ଷମତା ପ୍ରକାଶ କରିବାପରେ ଆନ୍ଦୋଳନରୁ ଓହରିଯାଇଥିଲେ ଆନ୍ଦୋଳନକାରୀମାନେ। ଆଜି ପୁଣି ଆନ୍ଦୋଳନ ଆଶଙ୍କାରେ ଜିଲ୍ଲା ପ୍ରଶାସନ ସମଗ୍ର ମନ୍ଦିର ଇଲାକାରେ ୧୪୪ ଧାରା ଜାରି କରି ପୋଲିସ ମୁତୟନ କରିଥିବାରୁ ରଥଦାଣ୍ଡକୁ ବି ଭକ୍ତମାନେ ଆସିନଥିଲେ। ସ୍ୱଳ୍ପ ପଣ୍ଡା ସେବକମାନଙ୍କୁ ନେଇ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ଔପଚାରିକ ଘୋଷଯାତ୍ରା ସମ୍ପନ୍ନ ହୋଇଛି।

Comment