ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ପୁରୀରେ ନୁହେଁ ଦେଶ ବିଦେଶରେ ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏବର୍ଷର ବିଶେଷତ୍ୱ ହେଉଛି ଯେ କୋଭିଡ ୧୯ କଟକଣା ଭିତରେ ରଥଯାତ୍ରା ପାଳନ କରିବାକୁ ପଡିବ।

ସୋମବାର ଦିନ ପୁରୀରେ ରଥଯାତ୍ରା ପାଳନ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହା ଫଳରେ ଏକ ବଡ଼ ବିବାଦ ଓ ଅସ୍ୱାଭାବିକ ଘଟଣାକୁ ଏଡେଇ ଦିଆ ଯାଇପାରିଛି। ତେବେ ଆସନ୍ତୁ ଦେଖିବା ପୁରୀ ଛଡ଼ା ଅନ୍ୟ କେଉଁଠି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ସେଠାକାର ବିଧି ବ୍ୟବସ୍ଥା କଣ ରହିଛି:

ବୃନ୍ଦାବନ

ପୁରୀ ଭଳି ବୃନ୍ଦାବନରେ ମଧ୍ୟ ରଥଯାତ୍ରା ପାଳିତ ହୋଇଥାଏ ଓ ଘୋଷଯାତ୍ରା ଏଠି ଅବିକଳ ପୁରୀ ଭଳି ଦେଖାଯାଏ। ରଥଯାତ୍ରା ଦିନ ଶ୍ରୀ ବାଙ୍କେ ବିହାରୀଜୀ ରଥ ଉପରେ ବିରାଜମାନ ହୁଅନ୍ତି ଓ ନିର୍ଦ୍ଦିଷ୍ଟ ନୀତି ପରେ ଭକ୍ତମାନେ ରଥ ଟଣା ଆରମ୍ଭ କରନ୍ତି। ଏହି ଅବସରରେ ବିପୁଳ ସଂଖ୍ୟାରେ ସାଧୁ ସନ୍ଥ ରଥଯାତ୍ରାରେ ସାମିଲ ହୁଅନ୍ତି। ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନ ସହ ଶ୍ରଦ୍ଧାଳୁମାନେ ରାସ୍ତାରେ ରଥ ଟଣା ବେଳେ ନୃତ୍ୟ କରିଥାନ୍ତି।

କାଶୀ ବିଶ୍ୱନାଥ

ଭଗବାନ ଭୋଲେନାଥଙ୍କ କ୍ଷେତ୍ର କାଶୀ ଓ କାନପୁରରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଧୁମଧାମରେ ପାଳନ କରାଯାଏ। ଏହି ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୁଏ। ରଥଯାତ୍ରା ସମୟରେ ରଥ ଟଣା ସହ ରଥକୁ ଛୁଇଁବା ପାଇଁ ପ୍ରବଳ ଭିଡ଼ ହୋଇଥାଏ। ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ସହରରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥାଏ।

ଅହମଦାବାଦ

ପୁରୀ ଓ କାଶୀ ଭଳି ଗୁଜରାଟର ଅହମଦାବାଦରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ।ଏଠାକାର ରଥଯାତ୍ରା ପାଇଁ କଡା ପୋଲିସ ବନ୍ଦୋବସ୍ତ ହୋଇଥାଏ। ରଥଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ତିନି ହଜାର ସାଧୁ ସନ୍ଥ ପ୍ରତିବର୍ଷ ଏଠାକୁ  ଆସିଥାନ୍ତି। ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ନେଇ ବାହାରୁଥିବା ରଥ ସରସପୁରଠାରୁ ରଂଛୋଡଦାସ ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ।

ଆସାମ ଓ ପଶ୍ଚିମବଙ୍ଗ

ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଇଥାଏ।ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଶ୍ରଦ୍ଧାଳୁ ମାନେ ବିଭିନ୍ନ ସହରରେ ରଥ ଟାଣିଥାନ୍ତି।

ଜମ୍ମୁ

କାଶୀ, ବୃନ୍ଦାବନ ଭଳି ଜାମ୍ମୁରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ। ତାଛଡା ମଧ୍ୟ ପ୍ରଦେଶର ଭୋପାଳରେ ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଏ। ଢୋଲ ଓ ନାଗରାର ତାଳେ ତାଳେ ଭକ୍ତମାନେ ରଥ ଟାଣିଥାନ୍ତି।

ଦିଲ୍ଲୀ

ରାଜଧାନୀ ଦିଲ୍ଲୀର ହଜଖାସରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ ହରିଆନାର ଗୁରୁଗ୍ରାମରେ ରଥଯାତ୍ରା ଧୁମଧାମରେ ପାଳିତ ହୋଇଥାଏ।ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ, ବିଶାଖାପାଟଣା ଏବଂ ଓଡ଼ିଶାକୁ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ପ୍ରବଳ ଆଗ୍ରହର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଆହୁରି ମଧ୍ୟ ଅମୃତସରରେ ରଥଯାତ୍ରା ପାଳନ କରାଯାଏ ଓ ହଜାର ହଜାର ସଂଖ୍ୟାରେ ଭକ୍ତ ଏଥିରେ ସାମିଲ ହୁଅନ୍ତି।

ବିଦେଶ

କେବଳ ଓଡ଼ିଶା କି ଭାରତରେ ନୁହଁ, ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଥାଏ। ବଙ୍ଗଳାଦେଶ, ସାନ ଫ୍ରାନ୍ସିସ୍କୋ ଓ ଲଣ୍ଡନରେ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ।

ତେବେ ସମଗ୍ର ବିଶ୍ୱରେ କରୋନା ମହାମାରୀ ତାଣ୍ଡବଲୀଳା ଚଳାଇଥିବାରୁ ଏବର୍ଷ ରଥଯାତ୍ରା କେଉଁଠି କିଭଳି ପାଳିତ ହେଉଛି ତାହାର ସ୍ପଷ୍ଟ ଚିତ୍ର ମିଳୁନାହିଁ।

Comment