ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ମହାପ୍ରଭୁ ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏହି ଅବସରରେ ଅଗଣିତ ଭକ୍ତ, ଜଗନ୍ନାଥ ପ୍ରେମୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି।

‘‘ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱ ନିଅନ୍ତା। ସାରା ବିଶ୍ୱର କୋଣଅନୁକୋଣରେ ଥିବା ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ତିନି ରଥରେ ବିରାଜମାନ କରିଥାନ୍ତି। ଚଳିତ ବର୍ଷ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯାଉଛି। ଭକ୍ତମାନେ କେହି ବଡ଼ଦାଣ୍ଡକୁ ଆସିପାରି ନାହାନ୍ତି। ଘରେ ବସି ମହାପ୍ରଭୁଙ୍କୁ ସମସ୍ତେ ଦର୍ଶନ କରୁଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ଅଗଣିତ ଭକ୍ତଙ୍କୁ ଶୁଭେଚ୍ଛା। ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ‘‘ରଥଯାତ୍ରା ହେଉଛି ଆମର ପରମ୍ପରା। ଶ୍ରୀଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା। ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ରଥରେ ବିରାଜମାନ କରି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ମହାପ୍ରଭୁଙ୍କ ଏହି ଲୀଳାଖେଳା ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଧାଇଁ ଆସନ୍ତି। ହେଲେ ଚଳିତବର୍ଷ କୋଭିଡ୍‌ ମହାମାରୀ ଯୋଗୁଁ ଭକ୍ତମାନେ ପୁରୀ ଆସିପାରି ନାହାନ୍ତି। ଭକ୍ତମାନେ ଘରେ ବସି ମହାପ୍ରଭୁଙ୍କ ଦର୍ଶନ କରି ଆଶୀଷ ଲାଭ କରନ୍ତୁ। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ।’’

Comment