ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି) ପକ୍ଷରୁ ‘କୋଭିଡ୍‍-୧୯ ପରବର୍ତ୍ତୀ ଗଣମାଧ୍ୟମ’ ଉପରେ ଏକ ୱେବିନାର (ଅନ୍‍ଲାଇନ୍‍ ଆଲୋଚନାଚକ୍ର) ଅନୁଷ୍ଠିତ ହୋଇଛି। କୋଭିଡ୍‌ ସମୟରେ ସାମ୍ଵାଦିକମାନଙ୍କ ଗୁତ୍ଵପୂର୍ଣ୍ଣ ଭୂମିକା କିପରି ରହିଥିଲା ସେ ବିଷୟରେ ବକ୍ତାମାନେ ଆଲୋଚନା କରିଛନ୍ତି।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ବର୍ତ୍ତମାନର ମହାମାରୀ ସମୟରେ ଜୀବନସୁରକ୍ଷା ପ୍ରସଙ୍ଗ ଉପରେ ଖବର ପରିବେଷଣ ଗଣମାଧ୍ୟମ ପାଇଁ ସବୁଠୁଁ ଶ୍ରେଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ ସମୟ। ସେହିପରି କାର୍ଯ୍ୟରତ ସାମ୍ବାଦିକମାନେ ଏମିତି ଏକ ବିପତ୍ତି ସମୟରେ ରିପୋର୍ଟିଂ କରିବା ଯେତିକି ଦାୟିତ୍ୱସମ୍ପନ୍ନ ସେତିକି ଆହ୍ୱାୟକ।”

ତେବେ ବର୍ତ୍ତମାନ ଗଣମାଧ୍ୟମ ଶିଳ୍ପରେ ଚାକିରି ଛଟେଇ, ଖବରକାଗଜ ପ୍ରକାଶନ ତଥା ବିତରଣ କମିବା, ଖବରକାଗଜ ସଂସ୍କରଣ ସୀମିତ ହେବା ଇତ୍ୟାଦି ଅନେକ ସମସ୍ୟା ଦେଖାଦେଇଛି। ଏଣୁ ଏସବୁ ଉପରେ ଏକ ଆଲୋଚନା କରାଯିବାର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ୱେବିନାର ଆୟୋଜନ କରାଯାଇଛି। ଏଥିରେ ଗଣମାଧ୍ୟମ ଶିକ୍ଷାବିତଙ୍କଠାରୁ ଦେଶର ବିଭିନ୍ନ ପ୍ରାନ୍ତରରୁ ସକ୍ରିୟ ସାମ୍ବାଦିକମାନେ ଭାଗନେଇ ଏ ସମ୍ପର୍କିତ ଯଥାଯଥ ଆଲୋଚନା କରିବେ ବୋଲି କହିଥିଲେ ମୃଣାଳ ଚାଟାର୍ଜୀ।

କୋଭିଡ୍‍-୧୯ ମହାମାରୀ ରିପୋର୍ଟିଂ ସମୟରେ ସାମ୍ବାଦିକଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ ଉଠାଇ କୋଲକାତା ଦୂରଦର୍ଶନ ନିଉଜ୍‍ର ସ୍ନେହାଶିଷ ସୁର କହିଛନ୍ତି ଯେ, ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ରିପୋର୍ଟିଂ କରିବା ସାମ୍ବାଦିକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ରୋଗ ସଂକ୍ରମଣର ଭୟ ଥିଲେ ମଧ୍ୟ ଏହାକୁ ଖାତିର ନକରି ସେମାନେ ମହାମାରୀର ରିପୋର୍ଟିଂ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେହିପରି ‘ଡିଲ୍‍ଷ୍ଟ୍ରିଟ୍‍ଏସିଆ’ର ସମ୍ପାଦିକା ପାରମିତା ଚାଟାର୍ଜୀ କହିଛନ୍ତି ଯେ, କୋଭିଡ୍‍-୧୯ ବିପତ୍ତି ସମୟରେ ରିପୋର୍ଟିଂ କ୍ଷେତ୍ରରେ ନୂଆ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦେଖିବାକୁ ମିଳିଛି। ଦେଶର ଅନେକ ସାମ୍ବାଦିକ ଘରେ ରହି ଡିଜିଟାଲ୍‍ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରି ନିଉଜ୍‍ ପ୍ୟାକେଜ୍‍ କରିଛନ୍ତି। ସେହିପରି ଅଡିଏନ୍ସମାନେ ପୂର୍ବାପେକ୍ଷା ଡିଜିଟାଲ୍‍ ଟେକ୍ନୋଲୋଜି ଅଧିକ ବ୍ୟବହାର କରୁଥିବାରୁ ସାମ୍ବାଦିକଙ୍କ ପାଇଁ ମଧ୍ୟ ଏହା ଏକ ଆହ୍ୱାନ ସ୍ୱରୂପ ହେଲା। ଏଣୁ ଖବର ପ୍ରସ୍ତୁତି ଓ ପରିବେଷଣର ଶୈଳୀରେ ଅନେକ ପରିବର୍ତ୍ତନ ଆସିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଅନ୍ୟତମ ବକ୍ତା ତିରୁପତିର ପଦ୍ମାବତୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଫେସର ନୀଳିମା ବିଏନ୍‍ କହିଛନ୍ତି ଯେ ଏହି ମହାମାରୀ ସମୟରେ ଅନେକ ଲୋକ ହଠାତ୍‍ ଡିଜିଟାଲ୍‍ ମିଡିଆକୁ ଆଶାତୀତ ଭାବେ ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଏହା ମାନେ ନୁହେଁ ଯେ ଡିଜିଟାଲ୍‍ ମିଡିଆ ମୁଦ୍ରିତ ଗଣମାଧ୍ୟମର ସ୍ଥାନ ନେଇପାରିବ। ଏହାକୁ ମୁଦ୍ରିତ ଗଣମାଧ୍ୟମର ଏକ ସାମୟିକ ବିରାମ ବୋଲି କହିହେବ।

ଏହି ସମୟରେ ମ୍ୟାନେଜ୍‍ମେଣ୍ଟର କୌଣସି ପୂର୍ବ ସୂଚନା ବିନା ପ୍ରାୟ ସବୁ ପ୍ରକାରର ଗଣମାଧ୍ୟମ ସଂସ୍ଥାରୁ ସାମ୍ବାଦିକଙ୍କୁ ଛଟେଇ କରାଯାଇଛି। ଏହା ସାମ୍ବାଦିକଙ୍କ ଜୀବନ ଜୀବିକା ଉପରେ ଅନେକ ପ୍ରଭାବ ପକାଇଛି। ଅନ୍ୟପକ୍ଷରେ ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟ ଯୋଗାଯୋଗ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟିଂର ଗୁରୁତ୍ୱ ବଢ଼ିଛି। ତେବେ ଲକ୍‍ଡାଉନ୍‍ ସମୟରେ ଭାରତୀୟ ଗଣମାଧ୍ୟମ ଏହି ସ୍ୱାସ୍ଥ୍ୟ ସାମ୍ବାଦିକତା ଓ ଯୋଗାଯୋଗ ଉପରେ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି କହିଛନ୍ତି ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରଫେସର ସଞ୍ଜିବ ଭନାୱତ।

ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟର ଡେପୁଟୀ ଜେନେରାଲ୍‍ ମ୍ୟାନେଜର ରମେନ୍ଦ୍ର କୁମାର କହିଛନ୍ତି ଯେ ଏହି ମହାମାରୀ ସମୟରେ ଦେଶରେ ଲୋକସମ୍ପର୍କର କାର୍ଯ୍ୟରେ ଅନେକ ପରିବର୍ତ୍ତନ ଆସିଛି। ବିପତ୍ତି ପରିଚାଳନା କରିବା ଦିଗରେ ଉଭୟ ସରକାରୀ ଓ ବେସରକାରୀ ଲୋକସମ୍ପର୍କ ଅଧିକାରୀଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିଛି। ତେବେ କମ୍ପାନିଗୁଡ଼ିକର ଆନ୍ତଃ ଓ ବାହ୍ୟ ଲୋକ (ଷ୍ଟେକ୍‍ହୋଲ୍ଡର)ଙ୍କ ମଧ୍ୟରେ ଏକ ସକାରାତ୍ମକ ପ୍ରତିଛବି ଆଣିବା ତଥା ବିଶ୍ୱସନୀୟତା ବଜାୟ ରଖିବା ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏଥିସହିତ ୱେବିନାରରେ ମହାମାରୀ ପରିସ୍ଥିତିରେ ସାରା ବିଶ୍ୱରେ ନାଗରିକ ସାମ୍ବାଦିକତାର ଗୁରୁତ୍ଵ ବିଷୟରେ ମଧ୍ୟ ଆଲୋଚନା ହୋଇଛି।ଲୋକଙ୍କ ପାଖରେ କିପରି ନାଗରିକ ସାମ୍ବାଦିକମାନେ ଖବର ପହଞ୍ଚାଇଛନ୍ତି, ତା’ର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋଚନା କରିଛନ୍ତି।

ଜୁଲାଇ ମାସରେ ‘କୃଷି ସାମ୍ବାଦିକତା’ ଉପରେ ଏକ ମନୋଗ୍ରାଫ୍‍ ପ୍ରକାଶ ପାଇବାର ଅଛି। ଏହି ଉପଲକ୍ଷେ କୃଷି ସାମ୍ବାଦିକତାର ବିଭିନ୍ନ ଦିଗକୁ ନେଇ ଏକ ଅନ୍‍ଲାଇନ୍‍ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଚାଟାର୍ଜୀ ସୂଚନା ଦେଇଛନ୍ତି।

Comment